May 29, 2026 11:54 pm

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ‘ରାଜ୍ୟରେ ପେଟ୍ରୋଲ-ଡିଜେଲର ଅଭାବ ନାହିଁ’

ଭୁବନେଶ୍ୱର: “ରାଜ୍ୟରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ।” ଆଜି ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ବଡ଼ ସୂଚନା ଦେଇ ଲୋକଙ୍କୁ ଗୁଜବର ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି। ବୈଠକରେ ତେଲ କମ୍ପାନୀମାନେ ସରକାରଙ୍କୁ ସ୍ପଷ୍ଟ କରିଥିଲେ ଯେ ରାଜ୍ୟରେ ପେଟ୍ରୋଲ, ଡିଜେଲ, ଏଲପିଜି ଓ ୟୁରିଆର ପର୍ଯ୍ୟାପ୍ତ ମହଜୁଦ ରହିଛି ଏବଂ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ଅଛି। ତେଣୁ ଲୋକମାନେ ଅଯଥାରେ ଭୟଭୀତ ହୋଇ ପମ୍ପଗୁଡ଼ିକରେ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ। ସରକାରଙ୍କ ମୁଖ୍ୟ ଫୋକସ୍ ଏବେ କଳାବଜାରୀ ଓ ବେଆଇନ ମହଜୁଦକୁ ରୋକିବା ଉପରେ। ଅନୁ ଗର୍ଗ ସଚେତନ କରାଇଛନ୍ତି ଯେ ଯେଉଁମାନେ ଅବୈଧ ଭାବରେ ଇନ୍ଧନ ମହଜୁଦ କରିବେ କିମ୍ବା କୃତ୍ରିମ ସଙ୍କଟ ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ରାଜ୍ୟରେ ଇନ୍ଧନ ସପ୍ଲାଏ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ମନିଟରିଂ ଚାଲିଛି।