April 15, 2026 9:57 pm

ଓଡ଼ିଶା ଜନତା କଂଗ୍ରେସ ଲୋକାର୍ପିତ

ଭୁବନେଶ୍ୱର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଦଳର ମୂଳଦୁଆ ସ୍ଥାପନ ହେଉ ହେଉ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ଦଳର ପ୍ରତିଷ୍ଠାତା ମହମ୍ମଦ ମୋକିମ । ସୁଯୋଗ ପାଇ ନଥିବା ଲୋକଙ୍କୁ ସୁଯୋଗ ଦେଇ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି ଓଜେସି । ଆଉ ଆଗାମୀ ଦିନରେ ଓଡ଼ିଶାର ହକ୍ ପାଇଁ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ବୋଲି ପ୍ରଥମ ଦିନରୁ ରଣହୁଁକାର ଦେଇଛନ୍ତି ମୋକିମ ।
ସୂଚନା ଥାଉ କି, ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ଓଡ଼ିଶା ଜନତା କଂଗ୍ରେସର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀଙ୍କୁ ଦେଖିବାକୁ ମିଳିଛି । ଯାହା ଶାସକ ଠାରୁ ଆରମ୍ଭ କରି ବିରୋଧୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ମଞ୍ଚରେ ସର୍ବଧର୍ମର ସମନ୍ୱୟ ଦେଖିବାକୁ ମିଳିଛି । ମହିମା ଅଲେଖ ଠାରୁ ଆରମ୍ଭ କରି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଏବଂ ଶିଖ୍ ଧର୍ମାବଲମ୍ବୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ସେହିପରି ବାପା ମୋକିମଙ୍କ ନୂଆ ଦଳର ଉଦଘାଟନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି କଟକ-ବାରବାଟୀ ବିଧାୟିକା ତଥା ଝିଅ ସୋଫିଆ ଫିର୍ଦ୍ଦୋସ୍ । ପ୍ରଥମ ଦିନରେ ମୋକିମ ତାଙ୍କ ଅଭିଭାଷଣରେ ଖୁବ୍ ବର୍ଷିଛନ୍ତି । ଯେଉଁମାନଙ୍କୁ ଅନ୍ୟ ଦଳରେ ସୁଯୋଗ ମିଳି ନାହିଁ ସେହିମାନଙ୍କୁ ସୁଯୋଗ ଦେବ ଓଜେସି । ନୂଆପିଢ଼ୀର ଯୁବକଙ୍କୁ ନେଇ ଦଳର ସୃଷ୍ଟି ହୋଇଛି । ଓଡ଼ିଶା ରାଜନୈତିକ ପଟ୍ଟଚିତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ପ୍ରଥମେ ମୋକିମ ସମସ୍ତ ବୀର ପୁତ୍ରଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନଙ୍କ ପ୍ରେରଣାରେ ଓଡ଼ିଶା ଜନତା କଂଗ୍ରେସର ସୃଷ୍ଟି ହୋଇଛି । ମୋକିମ ପୂର୍ବ ବିଜେଡ଼ି ସରକାର ଏବଂ ଏବେକାର ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦୁଇଟି ସରକାର ଗୋଟିଏ ମୁଦ୍ରା ଦୁଇ ପାର୍ଶ୍ୱ । ସରକାର ପରିବର୍ତ୍ତନ ହେଲା କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହୋଇନାହିଁ । ଖଣି, ପାଣି, ଶିଳ୍ପକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଓଜେସି ଓଡ଼ିଶାବାସୀଙ୍କ ସ୍ୱର ହେବ ବୋଲି ସେ କହିଛନ୍ତି ।