ବିଧାୟକ ଓ ସାଂସଦଙ୍କୁ ଉପରାଷ୍ଟ୍ରପତି ଦେଲେ ପରାମର୍ଶ :ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିରୋଧୀ

ଭୁବନେଶ୍ୱର:ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବିଧାୟକ ଓ ସାଂସଦଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବିଧାନସଭା ଓ ସଂସଦର ବିଧି ବ୍ୟବସ୍ଥା ସଂପର୍କରେ ଜ୍ଞାନ ଆହରଣ କରିବା ସହ ନିୟମ ଓ ପ୍ରକ୍ରିୟାକୁ ଭଲ ଭାବେ ବୁଝିବାକୁ ଦେଲେ ପରାମର୍ଶ ଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ନିଜ ଅଭିଭାଷଣରେ ସେ ସୁଭାଷ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ ଓ ରବି ରାୟଙ୍କ ଅବଦାନକୁ ସ୍ମରଣ କରିଥିଲେ। ତାମିଲନାଡୁର କାମରାଜଙ୍କ ସହ ବିଜୁ ପଟ୍ଟନାୟକଙ୍କ ତୁଳନା କରିବା ସହ ଓଡ଼ିଶା ମାଟିର ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ। ବିକଶିତ ଭାରତ-୨୦୪୭ ଓ ମିଶନ ଓଡ଼ିଶା-୨୦୩୬ର ଲକ୍ଷ୍ୟ ହାସଲରେ ବିଧାୟକ ଓ ସାଂସଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମତାମତରେ ଭିନ୍ନତା ଥାଇପାରେ, କିନ୍ତୁ ସମ୍ବିଧାନ ଗୋଟିଏ। ଶୂନ୍ୟକାଳ, ପ୍ରଶ୍ନକାଳ, କାର୍ଯ୍ୟ ପରାମର୍ଶଦାତା କମିଟି ଓ ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଗୁରୁତ୍ୱ ବୁଝିବାକୁ ଦେଇଥିଲେ ପରାମର୍ଶ। ଏଥିସହ AI ଓ ଡିଜିଟାଲ୍ ଟେକ୍ନୋଲୋଜିର ଉପଯୋଗ ଏବଂ ଗୃହ କମିଟିର କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ କହିଥିଲେ ଉପରାଷ୍ଟ୍ରପତି। ହେଲେ ଏହି ପ୍ରଶିକ୍ଷଣ ଶିବିରକୁ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବୟକଟ୍ କରିଛନ୍ତି। ଦୁଇ ଦଳର କୌଣସି ବିଧାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି।ପୂର୍ବରୁ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିବ ବୋଲି ଘୋଷଣା କରିଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସାମ୍ବିଧାନିକ ପଦବୀ, ସେଥିପ୍ରତି ସମ୍ମାନ ଅଛି। କିନ୍ତୁ ଏ ସରକାରରେ ବିଧାୟକମାନଙ୍କର ସମ୍ମାନ ନାହିଁ। ବିରୋଧୀ ବିଧାୟକମାନେ ଭଲ ଭାବେ ତାଲିମପ୍ରାପ୍ତ, ବରଂ ବିଜେପି ବିଧାୟକମାନଙ୍କୁ ହିଁ ଟ୍ରେନିଂ ଦରକାର। ସେ ବିଜେଡିକୁ ମଧ୍ୟ ବୟକଟ୍ କରିବାକୁ ଆହ୍ୱାନ ଦେଇଥିଲେ।ପରେ ବିଜେଡି ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ବିଧାୟକମାନଙ୍କୁ ଯୋଗ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ପ୍ରଶିକ୍ଷଣ ଶିବିରରେ କେବଳ ବିଜେପି ବିଧାୟକମାନେ ସାମିଲ ହୋଇଥିଲେ।

Leave a Comment