ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ୫ରୁ ଅଧିକ ଛାତ୍ର, ଏବଂ ଜଣେ ଅଣଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ସହ ସିସିଟିଭିଗୁଡ଼ିକର ଯାଞ୍ଚ ଚାଲିଛି। ସୂଚନାଅନୁଯାୟୀ ଏବିଭିପିର କିଛି ସଦସ୍ୟ କ୍ୟାମ୍ପସ୍ରେ ‘ସେନା ପାଇଁ ରାଖୀଟିଏ’ କାର୍ଯ୍ୟକ୍ରମ କରିବାକୁ ଇତିହାସ ବିଭାଗ ଯାଇଥିଲେ। ସେଠାରେ ବିଜେପି ଯୁବମୋର୍ଚ୍ଚାର କେତେକ ସଦସ୍ୟ ଏହାକୁ ବିରୋଧ କରିଥିଲେ, ଯାହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଧୀରେ ଧୀରେ ହାତାହାତି ପରିସ୍ଥିତି ଉପୁଜିଥିଲା। ତେବେ ଗତକାଲି ସନ୍ଧ୍ୟା ସମୟରେ କ୍ୟାମ୍ପସ୍ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୁବମୋର୍ଚ୍ଚା ଗୋଷ୍ଠୀର ଜଣେ ଛାତ୍ରୀଙ୍କୁ ଏବିଭିପି ଗୋଷ୍ଠୀ ପକ୍ଷରୁ କମେଣ୍ଟ୍ ମାରିବାରୁ ଘଟଣା ଉଗ୍ରରୂପ ନେଇଥିଲା। କମେଣ୍ଟ୍ ମରାର ଶିକାର ହୋଇଥିବା ଛାତ୍ରୀ ଜଣକ ଫୋନ୍ କରି ସହପାଠୀ ଓ କିଛି ବନ୍ଧୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ସେମାନେ ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ ନିକଟରେ ପହଞ୍ଚିବା ପରେ କମେଣ୍ଟ ମାରିଥିବା ଛାତ୍ରଙ୍କୁ ଚିହ୍ନଟ କରି ସେମାନଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀର ଛାତ୍ର ଓ ଅଣଛାତ୍ର ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ସ୍ଥିତି ବିଗିଡ଼ିବାରୁ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ସଦସ୍ୟଙ୍କୁ ବୁଝାସୁଝା କରିଥିଲା। ଏଥିସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା।









