June 30, 2025 2:17 am

ଶରଧାବାଲିରେ ଠେଲାପେଲା ୩ ଶ୍ରଦ୍ଧାଳୁ ମୃତ

ପୁରୀରେ ବଡ ଅଘଟଣ l ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଦଶ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l ରଥ ସାମ୍ନାରେ ହୋଇଛି ଠେଲାପେଲା। ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। ସେହିପରି ଅନ୍ୟ ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା କରାଯାଉଛି। ତେବେ ଏହି ଅଘଟଣରେ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରଦ୍ଧାଳୁ ଖୋର୍ଦ୍ଧା ଜିଲ୍ଲାର। ୫୦ ବର୍ଷୀୟ ପ୍ରଭାତୀ ଦାସ, ୪୨ ବର୍ଷୀୟ ବାସନ୍ତୀ ସାହୁ, ଠେଲାପେଲାରେ ରଥ ସାମ୍ନାରେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ୭୦ ବର୍ଷୀୟ ପ୍ରେମାକାନ୍ତ ମହାନ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଏକ ଟ୍ରକ୍ ଭିଡ଼ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଏହା ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ ଲୋକମାନେ ତଳେ ପଡ଼ିଯାଇଥିଲେ । ଅନ୍ୟପଟେ ଘଟଣାକୁ ନେଇ ଆଇନମନ୍ତ୍ରୀ କହିଛନ୍ତି ଯେ, ପୁରୀ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ଘଟଣାର ପୁରା ତଦନ୍ତ ହେବ । କେଉଁ ଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ଛାନ୍‌ଭିନ୍‌ ହେବ ।