February 26, 2026 10:06 am

ଲୁଣ ବଦଳରେ ଥିମେଟ ଖାଇ ୩ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲରେ

ବାଲେଶ୍ବର: ଲୁଣ ଭାବି ଥିମେଟ ଖାଇ ୩ ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ୩ ଶିଶୁ ଅଜାଣତରେ ଥିମେଟ ଖାଇ ଗୁରୁତର ହୋଇପଡିଥିଲେ। ସୂଚନା ମୁତାବକ ଉକ୍ତ ଗ୍ରାମର ବାବୁଲା ସିଂ ପୁଅ ଯୁବରାଜ ସିଂ(୮), ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫), ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ଅପରାହ୍ନ ସମୟରେ ସାଙ୍ଗ ହୋଇ ଖେଳୁଥିଲେ। ସେହି ସମୟରେ ଘରର ସମସ୍ତ ପରିବାର ଲୋକେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ। ପିଲାମାନେ ମାଟିରେ ଭାତ ଡାଲି ଓ ତରକାରୀ ମାନ ପ୍ରସ୍ତୁତ କରିଥିଲେ। ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ। ପରିବାର ଲୋକେ ବିଲରୁ ଘରକୁ ଫେରିବା ପରେ ଶିଶୁମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।