ମୁମ୍ବାଇ: ମହାରାଷ୍ଟ୍ର ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ସୁନେତ୍ରା ଅଜିତ ପାୱାର । ଶନିବାର ଲୋକ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଏନସିପି ଏବଂ ବିଜେପିର ତମାମ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ । ଶନିବାର ଏନସିପି (ଅଜିତ ଗୁଟ) ବିଧାୟକ ଦଳ ବୈଠକରେ ସୁନେତ୍ରାଙ୍କୁ ନୂତନ ବିଧାୟକ ଦଳ ନେତା ଭାବରେ ଚୟନ କରାଯାଇଥିଲା । ବୈଠକରେ ପ୍ରଥମେ ଦିବଂଗତ ନେତା ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପରେ ବିଧାୟକ ଦିଲ୍ଲୀପ ବଲସେ ସୁନେତ୍ରାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଦଳର ସମସ୍ତ ସଦସ୍ୟ ଏହା ଉପରେ ସମ୍ମତି ପ୍ରକାଶ କରି ଦସ୍ତଖତ କରିଛନ୍ତି । ଏହା ପରେ ସମ୍ମତି ପତ୍ର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ପ୍ରଦାନ କରାଯାଇଥିଲା । ଏହା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।









