ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ ପ୍ରେସ୍ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ୱୟଂ ନିୟନ୍ତ୍ରିତ ଗଣମାଧ୍ୟମ ସମାଜ ଗଠନ ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାର ନଜିର୍ ରହିଛି । ତେଣୁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ପ୍ରତନିଧି ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି ।
ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଲେ ଯେ ଗଣମାଧ୍ୟମ ସର୍ବଦା ଗଣତନ୍ତ୍ରର ସୁରକ୍ଷା ଦିଗରେ ନିଜର ନୀତି ସ୍ପଷ୍ଟ କରିଆସିଛି । ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଉପରେ ଆଲୋକପାତ କରି ଭ୍ରମାତ୍ମକ ତଥା ଭୁଲ ଖବରରୁ ଦୂରେଇ ରହି ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ନିଜେ ନିଜର ଭୂମିକା ନିର୍ଣ୍ଣୟ କରୁ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଦେବୀଲାଲ ମିଶ୍ର କହିଲେ ଯେ ଖବର ପ୍ରସାରଣ ପୂର୍ବରୁ ପ୍ରତ୍ୟେକ ତଥ୍ୟର ଗଭୀର ସମୀକ୍ଷାର ଆବଶ୍ୟକତା ରହିଛି । ଭ୍ରମାତ୍ମକ ଖବର ଗଣତନ୍ତ୍ର ଓ ସମାଜ ପ୍ରତି କ୍ଷତିକାରକ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉଦ୍ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ଦେଶ ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ୯୩ଟି ପତ୍ରପତ୍ରିକା, ୧୭ଟି ବିଦେଶୀ ଖବରକାଗଜ, ୨୪୦ଟି ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ୫୦୧ଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି । ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୂଚନା ଅଧିକାରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନଙ୍କ ସମେତ ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବ ଯୋଗଦେଇଥିଲେ ।









