May 30, 2026 10:08 pm

କ୍ୟାବିନେଟ୍‌ ବୈଠକରେ ୧୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨କୋଟି ଟଙ୍କା ମଞ୍ଜୁର ହୋଇଛି । କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ, ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ସଂ.୧୩୨୩ ତା. ୧୯.୦୨.୨୦୨୪ ରିଖରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧୀନରେ ଏକ ନୂତନ ସେବା ବର୍ଗ ଯଥା: “ଓଡିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ଗଠନ କରାଯାଇଥିଲା। ଏହି ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗଙ୍କ ଅନୁମୋଦନ ଲାଭ କରିବା ପରେ ଓଡିଶା ଲୋକ ସେବା ଆୟୋଗଙ୍କ ଦ୍ଵାରା ସ୍ଵୀକୃତ ହୋଇଛି। ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ପ୍ରାପ୍ତ ହୋଇଛି। ସାଂପ୍ରତିକ ସମୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ଏବଂ ଏହି ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ ବିକାଶ ତଥା ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହାର ସଫଳ ରୂପାୟନ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡିଶା ସଂସ୍କୃତି ସେବା ନିୟମ,୨୦୦୬ ଅଧୀନରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନର ଆବଶ୍ୟକତା ରହିଛି। ଉକ୍ତ ପ୍ରସ୍ତାବକୁ ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳଙ୍କ ଅନୁମୋଦନ ମିଳିଛି ।