February 26, 2026 3:20 am

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିବେ ବୟସ୍କ ଓ ବିଧବା ଭକ୍ତ

ପୁରୀ: ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା । ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରଦ୍ଧାଳୁ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ଣରେ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ସହ ଯେପରି ଏକ ସୁଖଦ ଅନୁଭବ ନେଇ ଯିବେ ସେଥିପାଇଁ ସମସ୍ତ ବିଭାଗ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ୱାଇଁ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୦୦ ଶ୍ରଦ୍ଧାଳୁ ଆସିବେ, ୧୩ ତାରିଖ ସନ୍ଧ୍ୟାରେ ପ୍ରାୟ ୨୦୦ ଜଣ ଓ ଅବଶିଷ୍ଟ ୧୪ ତାରିଖ ସକାଳୁ ପହଞ୍ଚିବେ । ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ସଂପୃକ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପୁରୀ ପ୍ରଶାସନକୁ ଦେବେ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନର ବ୍ୟବସ୍ଥା କରାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସେ କହିଥିଲେ । ଶ୍ରଦ୍ଧାଳୁ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରହଣି ପାଇଁ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା, ସହାୟତା ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା, ଯାତାୟାତ ପାଇଁ ସ୍ଥାନୀୟ ପରିବହନ ବ୍ୟବସ୍ଥା, ଦର୍ଶନ ସୁବିଧା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ପାର୍କିଂ ବ୍ୟବସ୍ଥା, ଫଟୋ ଭିଡିଓ ବ୍ୟବସ୍ଥା ଇତ୍ୟାଦି କରାଯିବ । ବିଭିନ୍ନ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯିବ ।