March 23, 2026 12:16 pm

କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା:ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରିଜଣ ଅଧିକାରୀ ନିଲମ୍ୱିତ

କଟକ : କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣା । ୪ଜଣଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଘଟଣାର ୩ଦିନ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଲମ୍ବିତ ଅଧିକାରୀ ମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଓ ଏସସିବି ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ବିଶ୍ୱାଳ।

ସୂଚନାନୁସାରେ, ଗତ ରବିବାର ରାତିରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ଘଟିବା ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ଜଣ ରୋଗୀ ଥିଲେ। ଘଟଣା ସ୍ଥଳରେ ୧୦ଜଣଙ୍କ ଏବଂ ପରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି ।ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ । ଏହି କମିଟି ମେଡିକାଲ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାଥମିକ ତଦନ୍ତ କରିଥିଲେ। ଘଟଣାର ସମ୍ବେଦଶୀଳତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଘଟଣା ଦିନ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ସରକାର ଏହା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ଜଣଙ୍କୁ ନିଲମ୍ବନ କରିଛନ୍ତି ।