April 12, 2026 11:55 pm

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ଭୁବନେଶ୍ୱର: ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ବିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର । ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ମଙ୍ଗଳବାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଏପ୍ରସଙ୍ଗରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡ଼ିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରା ଠାରେ ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ। ବୈଠକରେ ଏହି କେନ୍ଦ୍ର, ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ ଏବଂ ଗବେଷଣା ଓ ଶିକ୍ଷା ର ବିକାଶ ପାଇଁ ନିର୍ମାଣ କରାଯିବା ଉପରେ ଆଲୋଚନା ହୋଇଛି। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ ଗାର୍ଡେନର ଅନୁଭୂତି ପ୍ରଦାନ କରିବ । ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କ୍ୟାକଟସ, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ । ଏହି ଅଂଚଳକୁ ବିଶେଷ ପର୍ଯ୍ୟଟନ ସ୍ଥଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ବର୍ଷ ତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।