ଭୁବନେଶ୍ୱର: ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଧଉଳି ଥାନା ପୁଲିସ। ଏଥିରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଖବର ମୁତାବକ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ। ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରାୟ ୨୦ରୁ ୨୫ ଦିନ ତଳେ ଏକ ନିକାଞ୍ଚ ସ୍ଥାନକୁ ନେଇ ନିସ୍ତୁକ ମାରପିଟ କରିଥିଲେ। ପିଲାଟି ଯେତେ କାକୁତି ମିନତି କରିଥିଲେ ମଧ୍ୟ ସେମାନେ ତାକୁ ଛାଡି ନଥିଲେ। ଏପରିକି ଘର ଲୋକଙ୍କୁ କହିଲେ ତୋତେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା। ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ କେହି ଜଣେ ଉତ୍ତୋଳନ କରିଥିଲା। ଯାହାକି ପରଵର୍ତ୍ତି ସମୟରେ ଏହି ଭିଡିଓ ତାଙ୍କ ମା’ ଙ୍କ ନିକଟରେ ପହଞ୍ଚିଥିଲା। ଏହାକୁ ନେଇ ସେ ତାଙ୍କ ପୁଅକୁ ଘଟଣା ବିଷୟରେ ପଚାରି ସବୁକଥା ଜାଣିବାକୁ ପାଇଲେ। ଏନେଇ ନାବାଳକଙ୍କ ମାଆ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ଭିଡିଓକୁ ଆଧାର କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି। ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି।





