ପୁରୀ : ଜୁନ ୨୭ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏହାବ୍ୟତୀତ ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଆଦି ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।
ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-9 ସ୍କ୍ବାର୍ଡ ମୁତୟନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡାଇବା ନିମନ୍ତେ ସଜାଗ ତଥା ସ୍ୱତନ୍ତ୍ର ବ୍ୟବସ୍ଥା, ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ଼, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ଆଲୋଚନା କରିଥିଲେ ଡିଜିପି । ଏହାସହ ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।