February 27, 2026 12:13 am

ନାବାଳିକାଙ୍କୁ ବିବାହ ଓ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ

ଜଗତସିଂହପୁର: ପୋଲିସ ଏସ୍ଆଇ ଅମିତ ପାଢ଼ୀକୁ ରାଜ୍ୟ ବାହାରୁ ଗିରଫ କରାଯାଇଛି । ଜଗତସିଂହପୁର ପୋଲିସର ସ୍ଵତନ୍ତ୍ର ୪ ଜଣିଆ ଟିମ୍‌ ଗିରଫ କରିଥିବା ଖବର ମିଳିଛି । ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଛନ୍ତି ଏସଆଇ ଅମିତ ପାଢ଼ୀ । ସେ ୪ ମାସ ହେଲା ଫେରାର ଥିଲେ । ତେବେ ଅଭିଯୁକ୍ତ ଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ।
ଖବର ଅନୁଯାଇ, ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିଥିଲା। ତେବେ ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ନେଇ ଅଭିଯୋଗ ଆସିଥିଲା । ଜଗତସିଂହପୁର ସଦର ଥାନାରେ ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଇଥିବା ସଙ୍ଗୀନ ଅଭିଯୋଗ ହୋଇଥିଲା । ଘଟଣା ସମ୍ପର୍କରେ ଗତ ଏପ୍ରିଲ ମାସରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ଏବଂ ନିର୍ଯାତନା ନେଇ ମାମଲା ରୁଜୁ କରିଥିଲା। ତେବେ ଘଟଣା ଉପରେ ନିଜର ମତ ରଖିଥିଲେ ଜଗତସିଂହପୁର ଏସ୍‌ପି, କହିଥିଲେ ଅମିତ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେ ଫେରାର ଅଛନ୍ତି।