ରାଇରଙ୍ଗପୁର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି । ପାହାଡ଼ପୁର ଗାଁରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପିଏମ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ପତ୍ର ଏବଂ ସ୍ମାରକୀ ପ୍ରଦାନ କରିଛନ୍ତି । ଗତକାଲି ମହାମହିମ ରାଇରଙ୍ଗପୁର ଗସ୍ତରେ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । ପରେ ହୋଲିଡେ ହୋମରେ କିଛି ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରିଥିଲେ। ଆଜି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡପୁର ଅଭିମୁଖେ ଯାତ୍ରା କରିଥିଲେ । ଉଭୟ ପାହାଡପୁର ଗ୍ରାମର ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ରାଇରଙ୍ଗପୁର ଦାଣ୍ଡବୋଷ ଫେରି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଜେପି ସରକାରର ରାଜ୍ୟରେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ସେଠାରେ ହଜାର ହଜାର କୋଟି ଟଙ୍କାର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ।