February 26, 2026 10:10 pm

ପୁଣି ଓସ୍ତପୁର-କୋଟପଲ୍ଲା ମଧ୍ୟରେ ସୀମା ବିବାଦ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଓସ୍ତପୁର ଓ କୋଟପଲ୍ଲା ଗାଁରେ ବିକ୍ଷୋଭକାରୀ ସୀମା ବିବାଦକୁ ନେଇ ଟେକା ପଥର ମାଡ଼ କରିବା ସହିତ ଦୋକାନ ଜାଳି ଦେଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ମଧ୍ୟ ଉତ୍ତେଜନା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଓସ୍ତପୁର ଓ କୋଟପଲ୍ଲା ଗାଁରେ ସୀମା ବିବାଦ ଦୀର୍ଘ ୩ ମାସ ହେବ ଲାଗି ରହିଛି । ବସ୍ ଷ୍ଟାଣ୍ଡ୍ ଏବଂ ସ୍କୁଲ କାହାର ସେ ନେଇ ବିବାଦ ରହିଛି । ୩ ମାସ ହେବ ୧୬୩ ଧାରା ଲାଗୁ ହୋଇଥିଲା । ସ୍ଥିତିରେ କିଛିଟା ସୁଧାର ଆସିବା ପରେ କିଛି ଦିନ ତଳେ ଦୋକାନ ବଜାର ଖୋଲିଥିଲା । ୧୬୩ ଧାରା ପ୍ରତ୍ୟାହୃତ ହୋଇଥିଲା । ଗତକାଲି ରାତିରେ ନାମଫଳକ ହଟାଯିବା ପରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଉଭୟ ପକ୍ଷରୁ ଟେକା ପଥର ମାଡ଼ କରାଯିବା ସହିତ ୫ଟି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଖବର ପାଇ ଏସପି, ଏସଡିପିଓ ଏବଂ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ପହଁଚିଥିଲେ ।
କୋଟପଲ୍ଲା ଗ୍ରାମବାସୀଙ୍କ କହିବା ଅନୁସରେ ଦେଶ ସ୍ଵାଧୀନତା ପରେ ଡାକ ବ୍ୟବସ୍ଥା ପ୍ରଚଳନ ଏବଂ ଏହାକୁ ନେଇ କୋଟପଲ୍ଲା ବଜାରର ନାମକରଣ ହୋଇଥିଲା। ଏଥିସହ ବସ ପରମିଟରେ ମଧ୍ୟ କୋଟପଲ୍ଲା ନାମ ରହିଛି। କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓସ୍ତପୁର ଗ୍ରାମବାସୀଙ୍କୁ ବିଭ୍ରାନ୍ତ କରି ବଜାରର ନାମ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି । ଫଳରେ ଦୁଇ ଗାଁ ମଧ୍ୟରେ ଅଶାନ୍ତି ଲାଗିରହିଛି । ଅନ୍ୟପଟେ ଓସ୍ତପୁର ଗ୍ରାମବାସୀ କହିଛନ୍ତି ବଜାର ଯେଉଁ ଦିନରୁ ଗଢ଼ି ଉଠିଛି ଏବଂ ପୂର୍ତ୍ତ ବିଭାଗର ରାସ୍ତା ଯାଇଛି ତାହା ଓସ୍ତପୁର ମୌଜାରେ ରହିଛି । ଏହି ପରି ଦୁଇ ଗ୍ରାମର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ମତାନ୍ତର ହୋଇଆସିଛି । ଯାହାକି ଏବେ ଉଗ୍ରରୂପ ଧାରଣ କରୁଛି ।