June 26, 2025 7:24 pm

୧ ବର୍ଷ ପୂର୍ତ୍ତି ଅବସରରେ ସଫଳତାର ହିସାବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ୧୧ ବର୍ଷ । ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିର ଯୋଜନା । ବୁଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କମିଟି ବର୍ଷ ପୂର୍ତ୍ତି ପାଳନ ପାଇଁ ଗଠନ ହୋଇଛି କମିଟି । ଜୁନ୍ ୯ ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ଜନ ସାଧାରଣଙ୍କ ପାଖକୁ ଯିବ ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେପି କର୍ମକର୍ତ୍ତା । ସଶକ୍ତ ଭାରତ, ସୁରକ୍ଷିତ ଭାରତ ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ।

ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରରେ ଏବଂ ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃତ୍ୱ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବ । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଆଲୋଚନାଚକ୍ରରେ ମଧ୍ୟ ଭାଗ ନେବେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ସହ ବ୍ୟାପକ କାର୍ଯ୍ୟକ୍ରମ କରାଯିବ । ଡବଲ୍ ଇଞ୍ଜିନ୍ ସରକାରର ସୁଫଳ ରାଜ୍ୟବାସୀ କେତେ ପାଉଛନ୍ତି । ମୋଦି ସରକାରଙ୍କ ୧୧ ବର୍ଷ ଶାସନରେ ହୋଇଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାରର ୧ ବର୍ଷ ଭିତରେ ପୂରଣ ହୋଇଥିବା ପ୍ରତିଶ୍ରୁତି ବାବଦରେ ଲୋକଙ୍କୁ ଜଣାଇବ ଦଳ । ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ କେନ୍ଦ୍ରୀୟ ଯୋଜନା ରୂପାୟନର ସୁଫଳ କଥା କହିବ ବିଜେପି । ସେହିଭଳି ସଂକଳ୍ପ ପତ୍ରର ପ୍ରତିଶ୍ରୁତିର ହିସାବ ମଧ୍ୟ ଦେବ ଦଳ । କୌଣସି ୭୦ ବର୍ଷରୁ ଅଧିକ ବୟସ୍କ ଯେମିତି ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାରୁ ବଞ୍ଚିତ ନହେବେ ସେ ନେଇ ମଧ୍ୟ ସଚେତନ କରାଯିବ ।