December 6, 2025 8:51 pm

ଜିଲ୍ଲାପାଳଙ୍କ ଅଫିସ ଘେ‌ରିଲେ ଆଦିବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନିଜ ହକ୍ ପାଇଁ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ୨୦ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ନୂଆପଡ଼ା ପୁଲିସ ପଡିଆ ଠାରୁ ହଜାର ହଜାର ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରରେ ବାହାରିଥିଲେ। ଘାସିରାମ ମାଝୀ ଛକ ଠାରେ ପୂର୍ବତନ ସ୍ଵର୍ଗତ ମନ୍ତ୍ରୀ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନୂଆପଡ଼ା ସହର ପରିକ୍ରମା କରିଥିଲେ। ସଂଘର ଦାବି ଯେ, ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ଓ ଡି.ପି.ସି. ଦ୍ୱାରା ଏଫଏଲଏନ ମିସନ ପାଣ୍ଠିରୁ ହୋଇଥିବା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପରେ ମଧ୍ୟ ୬ ମାସ ବିତି ଯାଇଥିଲେ ସୁଦ୍ଧା ଦୋଷୀ ବିରୋଧରେ କୌଣସି ପ୍ରକାର କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ତେଣୁ ତାଙ୍କ ଉପରେ ତତ୍କାଳ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, କାର୍ଯ୍ୟକାରୀ ନ ହୋଇ ଜିଲ୍ଲା ପ୍ରଶାସନ ପାଖରେ ପଡି ରହିଥିବା ୨୨,୦୦୦ ଜଙ୍ଗଲ ଜମିର ହିତାଧିକାରୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯାଉ। ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟକୁ ମେଡିକାଲ କଲେଜର ମାନ୍ୟତା ଦିଆଯାଉ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଖାଲି ଥିବା ପଦବୀ ଯଥାଶୀଘ୍ର ପୂରଣ କରାଯାଉ ।
ଜିଲ୍ଲାରେ ସର୍ବମୋଟ ୨୯୫ଟି ଡାକ୍ତର ପଦବୀ ଅନୁମୋଦନ ହୋଇଥିବା ବେଳେ ମାତ ୧୨୫ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୧୭୦ଟି ଖାଲିଥିବା ଡାକ୍ତର ପଦବୀର ନିଯୁକ୍ତି କରାଯାଉ। କୋମନା ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ବିଜୁ ସେତୁ ଦ୍ୱାରା ନିର୍ମାଣ ହୋଇଥିବା ବ୍ରିଜ ନିର୍ମାଣରେ ଚାଷୀଙ୍କ ଜମି ଯାଇଥିବା ଚାଷୀମାନଙ୍କୁ ଜମିର କ୍ଷତିପୂରଣ ପ୍ରଦାନ କରାଯାଉ। ଆର.ଡି.ସି. ସମ୍ବଲପୁରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ରାଜସ୍ଵ ଗ୍ରାମ୍ୟ ନୂଆପଡ଼ା ବ୍ଲକ ଅନ୍ତର୍ଗତ ଝାଞ୍ଜିମୁଣ୍ଡା, ଶବରପଡା, ରାଣୀଦରହା ,ଛିନଚୁଆଁ, ଗଙ୍ଗାଦିଗଡ, ଭାଇସାଦରହା, ପାଖାନପଦର ସହିତ ଜିଲ୍ଲାର ୧୭ଟି ଗ୍ରାମକୁ ଜିଲ୍ଲା ପ୍ରଶାସନଦ୍ୱାରା ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯାଉ। ଏକ ୨୦ ଦଫା ଦବି ନେଇ ନୂଆପଡ଼ାର ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।