May 30, 2026 12:47 am

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମହିଳା କମାଣ୍ଡର ମୃତ

ଭୁବନେଶ୍ୱର: ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓ କମାଣ୍ଡରର ମୃତ୍ୟୁ ହୋଇଛି। ମୃତ ମହିଳା ମାଓ କମାଣ୍ଡର ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ମୃତ ମହିଳା କମାଣ୍ଡର ହେଲା ବିମଳା ସୋଡ଼ି। ବିମଳା ପ୍ଲାଟୁନ ନମ୍ବର-୧୬ର କମାଣ୍ଡର ଥିଲା। ଏହି ଘଟଣା ନେନ୍ଦୁର ଏବଂ ଗାବାଡ଼ି ମଧ୍ୟ ଜଙ୍ଗଲରେ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ଏସଟିଏଫ ଯବାନ ଆବୁଝମାଡ ଜଙ୍ଗଲରେ ପଶିଥିଲେ। ଲଗାଣ ବର୍ଷା ସତ୍ବେ ଯବାନଙ୍କ ମନବଳ ଦୃଢ଼ ଥିଲା। ଆଜି ସକାଳୁ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟରେ ଯବାନ ନକ୍ସଲ ଉପରେ ଭାରି ହୋଇଥିଲେ। ନକ୍ସଲ ବାଧ୍ୟ ହୋଇ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ନକ୍ସଲର ଶବକୁ ଉଦ୍ଧାର କରିଥିଲେ। ପୁଲିସ କହିବା ଅନୁଯାୟୀ ଘଟଣାସ୍ଥଳରେ ରକ୍ତର ଛିଟା ଚାରିପଟେ ପଡିଛି। ଏହାର ଅର୍ଥ ହେଲା ବହୁ ନକ୍ସଲ ଏହି ଗୁଳିବିନିମୟରେ ଆହତ ହୋଇଛନ୍ତି। ତେବେ ନକ୍ସଲଙ୍କୁ ମୂଳପୋଛ ଲକ୍ଷ୍ୟରେ ଯବାନ ଅପରେସନ ମନସୁନ ପରେ ଅପରେସନ-୨୦୨୬ ଆରମ୍ଭ କରିଦେଇଛନ୍ତି।