December 6, 2025 2:27 pm

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସର୍ବାଧିକ କାଳ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ନରେନ୍ଦ୍ର ମୋଦି। ନିରବଚ୍ଛିନ୍ନ ଭାବେ ୪ ହଜାର ୭୮ ଦିନ କାର୍ଯ୍ୟ କରି ଇନ୍ଦିରା ଗାନ୍ଧୀଙ୍କ ୪ ହଜାର ୭୭ ଦିନର ନିରବଚ୍ଛିନ୍ନ କାର୍ଯ୍ୟକାଳକୁ ଅତିକ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ନରେନ୍ଦ୍ର ମୋଦି।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁ ମୋଦିଙ୍କ ଠାରୁ ଅଧିକ ଦିନ କାର୍ଯ୍ୟ କରିଛନ୍ତି । ୧୯୪୭ ରୁ ୧୯୬୪ ମଧ୍ୟରେ ୧୬ ବର୍ଷ ୨୮୬ ଦିନ ବା ଛଅ ହଜାର ୧୩୦ ଦିନ କାର୍ଯ୍ୟ କରିଛନ୍ତି। ମୋଦି ୨୦୧୪ ମସିହା ମେ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୧୪, ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ତିନିଥର ବାଜି ମାରି ଜବାହାରଲାଲ ନେହୁରୁଙ୍କ ସହ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି । ଏଥିସହ ଅଣ-କଂଗ୍ରେସ ଦଳରୁ ଦୀର୍ଘ ସମୟ କାର୍ଯ୍ୟ କରିଛନ୍ତି। ୨୦୦୧ ରୁ ୨୦୧୪ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ରାଜ୍ୟ ଓ କେନ୍ଦ୍ରରେ ୨୪ ବର୍ଷରୁ ଅଧିକ ସମୟ ନିର୍ବାଚିତ ସରକାରର ନେତୃତ୍ୱ ଦେଇଥିବା ଏକମାତ୍ର ନେତା ଭାବେ ପରିଗଣିତ କରାଇଛି । ମୋଦୀଙ୍କ ନେତୃତ୍ୱରେ ଦେଶରେ ଜିଏସଟି, ମେକ୍ ଇନ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ ଅଭିଯାନ ଓ ଆୟୁଷ୍ମାନ ଭାରତ ଭଳି ପରିବର୍ତ୍ତନଶୀଳ ଯୋଜନା କାର୍ଯ୍ୟକାରୀ ହୋଇଛି ।