MMDRକୁ ନେଇ ନବୀନଙ୍କ ଚିଠିର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:MMDR ସଂଶୋଧନ ଅଧିନିୟମ 2026କୁ ନେଇ ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ, ସଂସଦରେ ଓଡ଼ିଶାର ସ୍ୱର ଭାବରେ ଜାତୀୟ ବିକାଶ ସହ ରାଜ୍ୟର ଅର୍ଥନୀତିର ବ୍ୟାପକତା ଏବଂ ସଂରଚନାଗତ ସ୍ୱାର୍ଥ ରକ୍ଷା କରିବା ଆମର ପ୍ରାଥମିକ ଦାୟିତ୍ୱ । ଏମଏମଡିଆର ସଂଶୋଧନ ଅଧିନିୟମ, ୨୦୨୬ ହେଉଛି ଏକ ଐତିହାସିକ ପଦକ୍ଷେପ ଯାହା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ରାଜ୍ୟ ରାଜସ୍ୱର ସୁରକ୍ଷା ଏବଂ ନାଗରିକମାନଙ୍କୁ ମୁଦ୍ରାସ୍ଫୀତିରୁ ରକ୍ଷା କରିବ।
ଓଡ଼ିଶା ନିଜର ରାଜସ୍ୱ ଅଂଶ ହରାଇବ ବୋଲି ବିରୋଧୀ ଦଳ ନେତାଙ୍କ ଆଶଙ୍କା ସମ୍ପୂର୍ଣ୍ଣ ତଥ୍ୟହୀନ । ନୂତନ ଆଇନ ଅନୁଯାୟୀ, ଖଣି କ୍ଷେତ୍ରରୁ ମିଳୁଥିବା ମୋଟ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ ରାଜକୋଷକୁ ଯିବ । ଓଡ଼ିଶା ନିଜର ନିଲାମ ପ୍ରିମିୟମର ୧୧୦%, ରୟାଲଟିର ୧୫% ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ସମସ୍ତ ଅଂଶ ପୂର୍ବପରି ପାଇବ । ୨୦୧୪ ପୂର୍ବରୁ ମନମୁଖୀ ଭାବରେ ଅସ୍ୱଚ୍ଛ ଉପାୟରେ ନିଜ ପସନ୍ଦର ପରିବାର ଓ ସଂସ୍ଥାମାନଙ୍କୁ ଖଣି ବଣ୍ଟନ କରାଯାଉଥିଲା। ଫଳରେ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ମାତ୍ର ୫,୦୦୦ କୋଟି ଟଙ୍କାରେ ସୀମିତ ଥିଲା। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଏମଏମଡିଆର ସଂଶୋଧନ ଦ୍ୱାରା ସ୍ୱଚ୍ଛ ଇ-ନିଲାମ ଏବଂ ରୟାଲଟି ୧୦% ରୁ ୧୫% କୁ ବୃଦ୍ଧି କରାଯାଇଥିଲା। ଫଳରେ ରାଜ୍ୟର ବାର୍ଷିକ ଖଣି ରାଜସ୍ୱ ଦଶଗୁଣ ବୃଦ୍ଧି ପାଇ ପ୍ରାୟ ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି ।ଖଣିଜ ଜମି ଉପରେ ଅନିୟନ୍ତ୍ରିତ ଓ ମନମୁଖୀ ଶୁଳ୍କ ଲଗାଇବା ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଏବଂ ଯାଜପୁର ଭଳି ଶିଳ୍ପାଞ୍ଚଳରେ ଖଣି ଓ ଶିଳ୍ପ ବନ୍ଦ ହେବାର ଆଶଙ୍କା ଥିଲା, ଯାହା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିଥା’ନ୍ତା। ଏହାସହ ଇସ୍ପାତ, ସିମେଣ୍ଟ, ବିଦ୍ୟୁତ୍ ଓ କୋଇଲା କଞ୍ଚାମାଲ ଖର୍ଚ୍ଚ ବୃଦ୍ଧି ପାଇ ରାଜ୍ୟର ସାଧାରଣ ମଧ୍ୟବିତ୍ତ ପରିବାର ଉପରେ ବୋଝ ହୋଇଥା’ନ୍ତା। ଧାରା ୯ଡି ଏହି ଅନିୟନ୍ତ୍ରିତ କରକୁ ରୋକିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରିଛି ବା ଏଭଳି ବିପଦର ଆଶଙ୍କା ଦୂରେଇ ଯାଇଛି ।

Leave a Comment