February 26, 2026 10:23 am

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର: ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ମନମୋହନ। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ଦିଲ୍ଲୀରେ ଶୀର୍ଷ ନେତାମାନଙ୍କୁ ଭେଟି ପାରନ୍ତି ମନମୋହନ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ମଧ୍ୟ ହୋଇପାରେ। ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ସଂଗଠନର ସମ୍ପାଦକ ମାନସ ମହାନ୍ତି ମଧ୍ୟ ଯାଇଛନ୍ତି।
ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ସଭାପତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ମନମୋହନଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ବିଶେଷକରି ମନମୋହନ ୨୦୨୪ ନିର୍ବାଚନରେ ଦଳର ଉତ୍ତମ ପ୍ରଦର୍ଶନ । ନୂଆ ଓ ପୁରୁଣା ନେତାଙ୍କୁ ନେଇ ଆଗକୁ ବଢ଼ିବାର କୌଶଳ । ରାଜ୍ୟ ସଭାପତି ଭାବେ ମନମୋହନଙ୍କ ୮ବର୍ଷର ଅଭିଜ୍ଞତା । ତୃଣମୂଳସ୍ତରର ଟାଣୁଆ ଓ ଦକ୍ଷ ସଂଗଠକ ହୋଇଥିବାରୁ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଆହୁରି ଆଗକୁ ବଢ଼ିବ ଆଶା ରଖିଛି ଦଳ । ସୋମବାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳଙ୍କ ସହ ସାକ୍ଷାତର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ଭେଟଘାଟ ମାହୋଲକୁ ଆହୁରି ଗରମ କରିଦେଇଛି। ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ। ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଅଛି ଏକାଧିକ ବିଭାଗ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। କିଏ ପଡିବେ ବାଦ, କିଏ ହେବେ ସାମିଲ ତାକୁ ନେଇ ଚର୍ଚ୍ଚା।