April 13, 2026 12:26 am

ମହାନଦୀ ବିବାଦ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବାପାଇଁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ହୋଇଛି । ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟିକା ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି। ୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି, ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି, ସରକାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।