December 6, 2025 3:39 pm

ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀର ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷା ହୋଇଛି। ଗୁରୁବାର ରୁ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ରେ ଲଘୁଚାପ ସକ୍ରିୟ ରହିଛି। ଛତିଶଗଡ଼ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜଳ ସମ୍ପଦ ବିଭାଗର ସୂଚନାନୁଯାୟୀ, ଗତ କାଲି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳ ପତ୍ତନ ୬୨୬.୩୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୯୬୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ୨ଲକ୍ଷ ୯୪ ହଜାର ୯୬୦କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖଇରମାଳରେ ହୀରାକୁଦ ଜଳ ପହଞ୍ଚି ଥିବାରୁ ସେଠାରେ ୨ଲକ୍ଷ ୨୩ ହଜାର ୫ଶହ କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ବରମୂଳ ୧ଲକ୍ଷ ୬୪ ହଜାର ଏବଂ ମୁଣ୍ଡଳିରେ ୭୩ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହ କରୁଛି। ରେଙ୍ଗାଲିରେ ଦୁଇଟି ଫାଟକ ଖୋଲିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪୬୫୯କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୭୫୬କ୍ୟୁସେକ୍ ନିଷ୍କାସିତ ହେଉଛି।ଏବେ ୧୬ଟି ଫାଟକ ଦେଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି। ମହାନଦୀ ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ଫଳରେ ଏ ନେଇ ନଦୀକୁଳ ଜିଲାଗୁଡ଼ିକୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ପରାମର୍ଶ ଦିଆଯାଇଛି। ମହାନଦୀର ଉପର ମୁଣ୍ଡରେ ଥିବା ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲଘୁଚାପ ଥିବାରୁ ଅଧିକ ବର୍ଷା ହେବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ମହାନଦୀରେ ବନ୍ୟା ଆସିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।