ଭୁବନେଶ୍ୱର: ପୂର୍ତ୍ତ ବିଭାଗ ପକ୍ଷରୁ ଲୋକସେବା ଭବନ କନଭେନସନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ କହିଲେ ବିଭିନ୍ନ ରାସ୍ତା ଘାଟ ତଥା କୋଠାବାଡ଼ିର ନିର୍ମାଣ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବ I ଏଥିପାଇଁ ବିଭାଗର ଇଞ୍ଜିନିୟର ମାନଙ୍କୁ ସେମାନଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାକୁ ପଡିବ I ବର୍ତ୍ତମାନ ଆମେ ସର୍ବଭାରତୀୟ ସ୍ତରରେ ଭଲସ୍ଥାନରେ ଥିବା ବେଳେ ଆମକୁ ଆହୁରି ଅଧିକ ଉପରକୁ ଯାଇ ଏକ ନମ୍ବର ସ୍ଥାନ ହାସଲ କରିବାକୁ ପଡିବ I ଏଥିଲାଗି ନିୟମିତ ଅନ୍ତରରେ ଭିତ୍ତିଭୂମି ଯାଞ୍ଚ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବ I ଏଥିସହିତ ଜମିଅଧିଗ୍ରହଣ, ଜଙ୍ଗଲ ଜମି ସମସ୍ୟା ଦୂରୀକରଣ ସହ ନିର୍ମାଣ କାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲେ I ଏହି ଅବସରରେ ମନ୍ତ୍ରୀ “ସେତୁ ମରାମତି ନୀତି” କୁ ଉନ୍ମୋଚିତ କରିଥିବା ବେଳେ ଖୁବ ଶୀଘ୍ର “ରାସ୍ତା ମରାମତି ନୀତି” ଆସିବାକୁ ଯାଉଛି ବୋଲି କହିଥିଲେ I ମାନ୍ୟବର ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ବ୍ରହ୍ମପୁର ବାଇପାସ, ଖୋର୍ଦ୍ଧା ବାଇପାସ, ଖରିଆର ଆରଓବି, ପୁରୀ-କୋଣାର୍କ ରାସ୍ତାରେ ଥିବା ମାଟିଆପଡା ଆରଓବି, ନୟାଗଡ ବାଇପାସ, ୪ ଲେନ ବିଶିଷ୍ଟ କେସିଙ୍ଗା-ଜୟପୁର ଟାଉନ ବାଇପାସ ଆରଓବି, ବଲାଙ୍ଗୀରି ବାଇପାସ, ଟିଟିଲାଗଡ ବାଇପାସ, ବୈତରଣୀ ନଦୀ ଉପରେ ହାଇ ଲେବୁଲ ସେତୁ, ତେଲ ନଦୀ ଉପରେ ନିର୍ମାଣଧୀନ ହାଇ ଲେବୁଲ ସେତୁ, କନ୍ଦରପୁର ବାଲିକୁଦା ରାସ୍ତା, ବ୍ରହ୍ମପୁର ରିଙ୍ଗରୋଡ଼, କଟକ ରିଙ୍ଗରୋଡ଼ ଏସସିବି ପ୍ରକଳ୍ପ, ପୁରୀ ସହରର ବିଭିନ୍ନ ପ୍ରକଳ୍ପ ତଥା ମା ସାରଳା, କଟକ ଚଣ୍ଡୀ ମନ୍ଦିର ଆଦି ପ୍ରମୁଖ ମନ୍ଦିର ଉନ୍ନତି ଏବଂ ବିଭିନ୍ନ କ୍ରୀଡ଼ା ଉନ୍ନୟନ ପ୍ରକଳ୍ପ ଯଥା ନୟାଗଡ଼, ବାଲେଶ୍ୱର, ଝାରସୁଗୁଡା ଓ ଯାଜପୁର ସ୍ବିମ୍ମିଙ୍ଗ ପୁଲ ଆଦି ୫୦ କୋଟିରୁ ଉର୍ଧ୍ଵ ନିର୍ମାଣଧୀନ କୋଠାବାଡ଼ି, ରାସ୍ତା, ସେତୁ ଓ ଜାତୀୟ ରାଜପଥ ପ୍ରକଳ୍ପ ଆଦିର ସମୀକ୍ଷା କରିଥିଲେ I ଅନେକ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ନେଇ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ବିଳମ୍ବିତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ I କାର୍ଯ୍ୟଭାର ନେଇଥିବା କିଛି ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟକୁ ଅନ୍ୟକୁ ଦେଇଥିବା ସରକାରଙ୍କ ନଜରକୁ ଆସିଛି, ତେଣୁ ଏହାର ସତ୍ୟାସତ ଅନୁଧ୍ୟାନ କରି ଉକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି I









