February 26, 2026 4:37 am

କିସ୍ ବିଦ୍ୟାଳୟକୁ ଏନ୍ଏଚ୍ଆରସିଙ୍କ ନୋଟିସ୍

ଭୁବନେଶ୍ୱର: କିଟ୍ କୁଳପତି ଏବଂ ଭୁବନେଶ୍ୱର କମିଶନରେଟ୍ ପୋଲିସକୁ ନୋଟିସ୍ ଜାରି ହୋଇଛି । ଛାତ୍ର ହତ୍ୟା ମାମଲାରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ୨ ସପ୍ତାହରେ ତାହାର ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ର ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିବାକୁ ଆବେଦନ ହୋଇଥିଲା । ସ୍ଵାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିଶନ ନିକଟରେ ଆବେଦନ ହୋଇଥିଲା । ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧ କୋଟି କ୍ଷତିପୂରଣ ଦେବାକୁ ଆବେଦନ କୁହାଯାଇଥିଲା ।
ସୂଚନାଥାଉ ଯେ, ଗତ ୧୨ ତାରିଖରେ କିସ୍ ବିଦ୍ୟାଳୟରେ କେନ୍ଦୁଝରର ଜଣେ ଅନୁସୂଚିତ ଜନଜାତି ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । କିସ୍ ବିଦ୍ୟାଳୟ ସ୍ଥାନୀୟ ଇନଫୋସିଟି ଥାନା ପୋଲିସକୁ କୌଣସି ରିପୋର୍ଟ ନ କରି ତରବରିଆ ଭାବେ ଛାତ୍ରଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଦେଇ କେନ୍ଦୁଝର ପଠାଇ ଦେଇଥିଲେ । ତେବେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ତଦନ୍ତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ତଣ୍ଟି ଚିପି ହତ୍ୟା କରିବା ଅଭିଯୋଗରେ ତିନି ଜଣ ଛାତ୍ରଙ୍କୁ ସୁଧାର ଗୃହକୁ ପଠାଇ ଯାଇଥିବାବେଳେ କିସ୍ ର ୯ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ କିଟ୍ ବିଶ୍ୱବିଦ୍ୟାଳୟରେ ଏକ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଏନ୍ଏଚ୍ଆରସି ବାରମ୍ବାର ନୋଟିସ୍ ଜାରି କରିଥିଲେ । କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ଏବଂ ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି ବାରମ୍ବାର ନୋଟିସ୍ କରିଥିଲେ ସୁଦ୍ଧା କିଟ୍ କର୍ତ୍ତୃପକ୍ଷ କୌଣସି ଉତ୍ତର ରଖି ନ ଥିଲେ ।