May 29, 2026 11:53 pm

ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୨ରୁ ଅଧିକ ଆହତ

ଜୋହାନ୍ସବର୍ଗ: ଜୋହନ୍ସବର୍ଗର ଦକ୍ଷିଣ ପଶ୍ଚିମାଞ୍ଚଳ ଅନ୍ତର୍ଗତ ବେକେର୍ସଡାଲରେ ଘଟିଛି ଏକ ଲୋମହର୍ଷକ ଘଟଣା। କେତେକ ଦୁର୍ବୃତ୍ତମାନେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ କରିଛନ୍ତି । କିଛି ମାସ ମଧ୍ୟରେ ଏହା ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଭୟଙ୍କର ଗୁଳିମାଡ଼ ବୋଲି ଖବର ମିଳିଛି। ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ପୋଲିସର କହିବା ଅନୁସାରେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ। ହେଲେ କିଛି ଅଜ୍ଞାତ ବନ୍ଧୁକଧାରୀ ରାସ୍ତାରେ ଥିବା ଲୋକଙ୍କ ଉପରେ ଅଚାନକ ଗୁଳିଚାଳନା ଆରମ୍ଭ କରିଥିଲେ, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗାଉତେଙ୍ଗ ପ୍ରଜାତନ୍ତ୍ରର ପୋଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣଅଡା ମୁରିଦିଲି କହିଛନ୍ତି- ଏହି ଘଟଣା ପଛରେ ଥିବା ପ୍ରକୃତ କାରଣ ଜଣାପଡିନାହିଁ। ଅପରାଧୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଦକ୍ଷିଣ ଆଫ୍ରିକାର ପ୍ରମୁଖ ସୁନା ଖଣି ଅଞ୍ଚଳ ଭାବେ ପରିଗଣିତ ବେକେର୍ସଡାଲ ଇଲାକାରେ ଏହି ଗୁଳିକାଣ୍ଡ ଘଟିଛି। ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି। ଏହାସହିତ ଗୁଳିକାଣ୍ଡ ଏପରି ଏକ ସ୍ଥାନରେ ଘଟିଥିଲା ଯେଉଁଠାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିଲା। ଗତ ଡିସେମ୍ବର ୬ରେ ପ୍ରିଟୋରିଆରେ ଘଟିଥିବା ଗୁଳିମାଡ ଘଟଣାରେ ଜଣେ ଶିଶୁ ସମେତ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୬୩ ନିୟୁତ ଜନସଂଖ୍ୟାବିଶିଷ୍ଟ ଦକ୍ଷିଣ ଆଫ୍ରିକାରେ ବିଶ୍ବରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଚାଲିଛି।