ନୂଆଦିଲ୍ଲୀ: ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରଥମଥର ପାଇଁ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଅମନ ସୈନି, ଋଷଭ ଯାଦବ ଓ ପ୍ରଥମେଶ ବାଲଚନ୍ଦ୍ର ଫୁଜେଙ୍କୁ ନେଇ ଗଠିତ ଭାରତୀୟ ଟିମ ଏପରି କୀର୍ତ୍ତିମାନ ହାସଲ କରିପାରିଛି। ଭାରତର ବିଜୟ ଯାତ୍ରା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ଆରମ୍ଭ ହୋଇଥିଲା। ମ୍ୟାଚ୍ ୨୩୨ ପଏଣ୍ଟରେ ଟାଇ ରହିବାରୁ ଶୁଟ ଆଉଟ ସ୍ଥିତି ଉପୁଜି ଥିଲା। ଏହାକୁ ୩୦-୨୮ରେ ଭାରତ ଜିତି ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲା। ଏହାପରେ ଆମେରିକାକୁ କ୍ୱାର୍ଟର ଫାଇନାଲରେ ୨୩୪-୨୩୩ ପଏଣ୍ଟରେ ହରାଇଥିଲା ଦଳ।ସେମି ଫାଇନାଲରେ ଭାରତୀୟ ଟିମକୁ କଡ଼ା ଟକ୍କର ଦେଇଥିଲା ତୁର୍କୀ। କିନ୍ତୁ ଏହି ମ୍ୟାଚ୍ ଭାରତର ୩ ଷ୍ଟାର ତୀରନ୍ଦାଜ ଚମତ୍କାର ଢଙ୍ଗରେ ୨୩୪-୨୩୨ ପଏଣ୍ଟ ବ୍ୟବଧାନରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ଦଳର ମୁକାବିଲା ପୂର୍ବତନ ଚାମ୍ପିୟନ ଫ୍ରାନ୍ସ ସହ ହୋଇଥିଲା। ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଶେଷରେ ଭାରତୀୟ ଟିମ ୨୩୫-୨୩୩ ପଏଣ୍ଟ ବ୍ୟବଧାନରେ ଫ୍ରାନ୍ସକୁ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି। ତୃତୀୟ ରାଉଣ୍ଡ ସୁଦ୍ଧା ସ୍ଥିତି ୧୭୬-୧୭୬ ରହିଥିଲା। ନିର୍ଣ୍ଣାୟକ ରାଉଣ୍ଡରେ ଭାରତ ୫୯ ପଏଣ୍ଟ ସ୍କୋର କରିଥିବା ବେଳେ ଫ୍ରାନ୍ସ ୫୭ ପଏଣ୍ଟ ହିଟ କରିଥିଲା। ଫଳରେ ଭାରତ ୨ ପଏଣ୍ଟ ବ୍ୟବଧାନରେ ଫାଇନାଲକୁ ଜିତି ଇତିହାସ ରଚିଥିଲା।









