May 14, 2026 11:42 pm

ହଷ୍ଟେଲ୍‌ ବାଲକୋନୀରୁ ପଡ଼ି IIT ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରର Indian Instituteof Technology କ୍ୟାମ୍ପସରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ବଏଜ୍‌ ହଷ୍ଟେଲର ଷଷ୍ଠ ମହଲା ବାଲକୋନୀରୁ ଖସି ପିଏଚ୍‌ଡି ଛାତ୍ର ତନିକୋଣ୍ଡା ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ କ୍ୟାମ୍ପସରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ନିଶାନ୍ତ ଆନ୍ଧ୍ର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ IIT ଭୁବନେଶ୍ୱରରେ ପିଏଚ୍‌ଡି ଗବେଷଣା କରୁଥିଲେ। ଖବର ଅନୁସାରେ, ଆଜି ସକାଳ ସମୟରେ ହଷ୍ଟେଲ ବାଲକୋନୀରୁ ତଳକୁ ପଡ଼ିଯାଇଥିବା ଦେଖି ସହପାଠୀ ଓ କ୍ୟାମ୍ପସ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଏକ ସ୍ଥାନୀୟ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ IIT ଭୁବନେଶ୍ୱର ପକ୍ଷରୁ ପିଆର୍‌ଓ ସୂଚନା ଦେଇ କହିଛନ୍ତି ଯେ, ଛାତ୍ରଙ୍କ ବାପା-ମାଆ ଆସିବା ପରେ ପୋଷ୍ଟମର୍ଟମ କରାଯିବ। ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଏହା ଦୁର୍ଘଟଣା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ତଦନ୍ତ ଚାଲିଛି। ଏହି ଅପ୍ରତ୍ୟାଶିତ ଘଟଣା ପରେ IIT କ୍ୟାମ୍ପସରେ ନିରବତା ଛାଇଯାଇଛି। ସହପାଠୀମାନେ ନିଶାନ୍ତଙ୍କ ଅକାଳ ମୃତ୍ୟୁକୁ ନେଇ ଗଭୀର ଶୋକବ୍ୟକ୍ତ କରୁଛନ୍ତି।