December 6, 2025 2:52 pm

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ଭିଡ଼

ପୁରୀ : ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ । ଏନେଇ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ବ୍ରତ ପାଳନ କରିବେ ହବିଷ୍ୟାଳି l ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ନିମନ୍ତେ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଆଦିର ବ୍ୟବସ୍ଥା କରାଯାଇଛି l ତତସହିତ ହବିଷ୍ୟାଳୀ ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା, ପାନୀୟ ଜଳ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ ବ୍ୟବସ୍ଥା ମଧ୍ୟ କରାଯାଇଛି । ହବିଷ୍ୟାଳୀମାନଙ୍କ ପାଇଁ ସନ୍ଧ୍ୟାରେ ପାଲା, ଦାସ କାଠିଆ ଆଦି ପରିବେଷଣ ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ତୀର୍ଥ ପୁଷ୍କରିଣୀରେ ହବିଷ୍ୟାଳୀମାନେ ସ୍ନାନ କରିବାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହିତ ହଜାର ହଜାର ଭକ୍ତ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଇଛି ।