February 26, 2026 11:32 am

୩୨୫ କୋଟି ଟଙ୍କାର GST ଠକେଇ ମାମଲାର ମାଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଗିରଫ

ଭୁବନେଶ୍ୱର: ଓଡ଼ିଶାର ଛୋଟ ଛୋଟ ବ୍ୟବସାୟୀଙ୍କ ଜିଏସ୍‌ଟି ନମ୍ବରକୁ ବ୍ୟବହାର କରି ୩୨୫ କୋଟି ଟଙ୍କା ଜିଏସ୍‌ଟି ଠକେଇ କରିଥିବା ବଡ଼ ରାକେଟ୍‌ କୁ କେନ୍ଦ୍ରୀୟ ଜିଏସ୍‌ଟି ଗୁଇନ୍ଦା ବିଭାଗ ଠାବ କରିଛି। ମାଷ୍ଟରମାଇଣ୍ଡ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌ ଯୋଗେଶ୍ ଜିଗିୱାଲାଙ୍କୁ ଜିଏସ୍‌ଟି ଗୁଇନ୍ଦା ବିଭାଗ ମୁମ୍ବାଇରୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ମୁମ୍ବାଇରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ଵର ଅଣାଯାଇଥିଲା। ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ବର୍ଷବର୍ଷ ହେବ ନୀଲେଶ୍‌ ଓଡ଼ିଶାରେ ନିଜର ଜିଏସ୍‌ଟି ଠକେଇ ରାକେଟ୍‌ ଚଳାଇଥିଲା। ଏଥିପାଇଁ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କିଛି ଏଜେଣ୍ଟ ରଖିଥିଲା। ସେମାନେ ଜିଏସ୍‌ଟି ନମ୍ବର ଥିବା ଛୋଟ ବ୍ୟବସାୟୀଙ୍କ ଉପରେ ନଜର ରଖିଥିଲେ। ବ୍ୟବସାୟୀ କ୍ଷତି ସହିବା ପରେ ସେମାନଙ୍କର ଜିଏସ୍‌ଟି ନମ୍ବରକୁ ସରେଣ୍ଡର କରୁଥିଲେ। ହେଲେ ସରେଣ୍ଡର କରିବା ପୂର୍ବରୁ ଏଜେଣ୍ଟମାନେ କ୍ଷତି ସହୁଥିବା ବ୍ୟବସାୟୀଙ୍କ ନିକଟରେ ପହଞ୍ଚି ଜିଏସ୍‌ଟି ନମ୍ବରକୁ ସରେଣ୍ଡର ନକରିବା ପାଇଁ କିଛି ଅର୍ଥ ଦେଇ ଚାଲୁ ରଖିବାକୁ କହୁଥିଲେ। ଯେଉଁମାନେ ରାଜି ହେଉ ନଥିଲେ ସେମାନଙ୍କୁ ଏକକାଳୀନ ଟଙ୍କା ଦେଇ ନମ୍ବର କିଣି ନେଉଥିଲେ। ଏହାପରେ ସେହି ସବୁ ଜିଏସ୍‌ଟି ନମ୍ବରକୁ ବ୍ୟବହାର କରି କାଗଜପତ୍ର ଜାଲିଆତି କରି ମୁମ୍ବାଇରେ ବଡ଼ ବଡ଼ ସଂସ୍ଥାକୁ ଇନ୍‌ପୁଟ ନେବାରେ ସହଯୋଗ କରୁଥିଲେ। ଏହି ବାବଦକୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ। ଏଜେଣ୍ଟଙ୍କୁ ବି କମିସନ ମିଳୁଥିଲା। ଗତ ୨ମାସ ହେବ ଜିଏସ୍‌ଟି ଗୁଇନ୍ଦା ବିଭାଗ ନୀଲେଶ୍‌ର ପ୍ରତିଟି କାରବାର ଉପରେ ନଜର ରଖିଥିଲା। ତାର ଠିକଣା ଠାବ ପରେ ଜିଏସ୍‌ଟି ଗୁଇନ୍ଦା ଟିମ୍‌ ମୁମ୍ବାଇ ସ୍ଥିତ ନୀଲେଶ୍‌ର ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା।