May 30, 2026 11:34 pm

ଭୁବନେଶ୍ୱରରେ ପହଞ୍ଚିଲେ ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ଅନୁଧ୍ୟାନକାରୀ ଦଳ ।

ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ସ୍ୱାଗତ କରିଥିବା ବେଳେ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ କଂଗ୍ରେସର ତଥ୍ୟ ଅନୁଧ୍ୟାନକାରୀ ଦଳ । ତେବେ ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ‍୍ୟରେ ଆକସ୍ମିକ ଭାବରେ ଶତାଧିକ ମହିଳା ,ଶିଶୁ ନିଖୋଜ ହେବା ଓ ରାଜ‍୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ‍୍ୟାଚାରକୁ ନେଇ ନିଜ ଚିନ୍ତା ପ୍ରକଟ କରି ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାଜୁର୍ନ ଖଡଗେ ପରିସ୍ଥିତିକୁ ଅନୁସନ୍ଧାନ କରିବା ନିମନ୍ତେ ଏକ ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗଠନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଦିପା ଦାସମୁନସୀ ଆବାହକତ୍ୱରେ ୪ ଦିନିଆ ଓଡିଶା ଗସ୍ତରେ ଆସିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳରେ ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ, ସାଂସଦ ଶ୍ରୀମତୀ ପ୍ରଣିତି ସିନ୍ଦେ,ସାଂସଦ ଶ୍ରୀମତୀ ଏସ ଯୋଥିମଣି ,ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଶୋଭା ଓଜା ପ୍ରମୁଖ ସାମିଲ ଅଛନ୍ତି । ଆଜି ସମସ୍ତେ ଭୁବନେଶ୍ଵରରେ ପହଞ୍ଚିଥିବା ବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ଵାଗତ କରିଥିଲେ । ତେବେ ଏହି ଦଳ ଗୋପାଳପୁର ଘଟଣା ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିବେ । ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ସୋନାଲି ସାହୁ, ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର ପ୍ରମୁଖ ମହିଳା କଂଗ୍ରେସ ନେତୃବୃନ୍ଦ ଆଜି ପ୍ରଥମ ଦିନରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସ୍ଥଳ ପରିଦର୍ଶନ କରିବେ ।