ଭୁବନେଶ୍ୱର: କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ବାସଭବନକୁ ବିଜେପିର ବହୁ ନେତା ଓ ମୁଖ୍ୟମନ୍ତ୍ରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନେକ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୪ରୁ ୨୦୦୯ ଯାଏ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଜେପି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇଥିଲେ। ବିଧାୟକ ଭାବରେ କାର୍ଯ୍ୟକାଳ ମଧ୍ୟରେ, ସେ ସାଂଗଠନିକ ଦାୟିତ୍ୱରେ ସକ୍ରିୟ ଅଂଶଗ୍ରହଣ ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ତାଙ୍କର ନିରନ୍ତର ସମ୍ପର୍କ ପାଇଁ ବେଶ ଜଣାଶୁଣା ଥିଲେ। ତାଙ୍କୁ ଦଳର ଜଣେ ବରିଷ୍ଠ ଏବଂ ପ୍ରମୁଖ ନେତ୍ରୀ ଭାବରେ ବିବେଚନା କରାଯାଉଥିଲା। ସେ ଦଳର ସାଂଗଠନିକ ଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।









