February 26, 2026 4:35 am

ରାଜ୍ୟସଭା ନିର୍ବାଚନକୁ ନେଇ ଗାଇଡଲାଇନ୍ସ ଜାରି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ସ ଜାରି କରିଛନ୍ତି l ରାଜ୍ୟସଭା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ହ୍ବିପ ଜାରି କରିପାରିବେ। ଭାରତର ନିର୍ବାଚନ କମିଶନଙ୍କ ୨୦୧୭ ନିର୍ଦ୍ଦେଶନାମା ଅନୁଯାୟୀ, ବିଧାୟକମାନେ ନିଜ ଦଳର ଏଜେଣ୍ଟଙ୍କୁ ବାଲଟ୍ ପେପର ଦେଖାଇବାକୁ ବାଧ୍ୟ। ଯଦି ସେ ଏଜେଣ୍ଟଙ୍କୁ ବାଲଟ୍ ନ ଦେଖାନ୍ତି, ତେବେ ଭୋଟ୍ ନାକଚ ହେବ। ଯଦି ସେ ଏଜେଣ୍ଟଙ୍କୁ ଦେଖାଇ ଅନ୍ୟ ଦଳକୁ ଭୋଟ୍ ଦିଅନ୍ତି, ତେବେ ଭୋଟ୍ ବୈଧ ରହିବ କିନ୍ତୁ ଦଳ ତାଙ୍କୁ ବହିଷ୍କାର କରିପାରିବ। ତେଣୁ, ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ଲାଗୁ ହୁଏ, କିନ୍ତୁ ଏହାର ଉଲ୍ଲଙ୍ଘନ କଲେ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାୟକ ପଦ ରଦ୍ଦ ହୁଏନାହିଁ। ଏହା କେବଳ ଦଳୀୟ ଅନୁଶାସନ ମଧ୍ୟରେ ସୀମିତ ରହେ। ଓଡ଼ିଶାର ବର୍ତ୍ତମାନର ସମୀକରଣରେ ଏହି ନିୟମଟି ହିଁ ବିଜେପିକୁ ‘ଦ୍ୱିତୀୟ ପସନ୍ଦ’ ଭୋଟ୍ ପାଇଁ ଆତ୍ମବିଶ୍ୱାସ ଦେଉଛି। କାରଣ ଅସନ୍ତୁଷ୍ଟ ବିଧାୟକମାନେ ପଦ ହରାଇବା ଭୟ ନଥାଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇଟି ପ୍ରମୁଖ ରାୟ ଗୁରୁତ୍ୱପୂର୍ଣ୍ଣ। ୨୦୦୬ରେ କୁଲଦୀପ ନାୟାର ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ରାଜ୍ୟସଭା ନିର୍ବାଚନରେ ‘ଖୋଲା ବାଲଟ୍’ ବ୍ୟବସ୍ଥା ରହିଛି। ଜଣେ ବିଧାୟକ କାହାକୁ ଭୋଟ୍ ଦେଉଛନ୍ତି, ତାହା ତାଙ୍କ ଦଳର ଅଧିକୃତ ଏଜେଣ୍ଟଙ୍କୁ ଦେଖାଇବା ବାଧ୍ୟତାମୂଳକ। ଯଦି ଜଣେ ବିଧାୟକ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ୍ ଦିଅନ୍ତି, ତେବେ ତାହା ଦଳ ପ୍ରତି ବିଶ୍ୱାସଘାତକତା ଭାବେ ଗଣାଯିବ ଏବଂ ଦଳ ତାଙ୍କ ବିରୋଧରେ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଅନୁରୂପ ଭାବେ ରବି ଏସ୍. ନାଏକ ବନାମ ୟୁନିୟନ ଅଫ୍ ଇଣ୍ଡିଆ ମାମଲାରେ କୁହାଯାଇଥିଲା ଯେ ଯଦି ଜଣେ ସଦସ୍ୟ ଦଳର ହ୍ୱିପ୍ ଅମାନ୍ୟ କରନ୍ତି, ତେବେ ଏହାକୁ ‘ସ୍ୱେଚ୍ଛାକୃତ ଭାବେ ଦଳର ସଦସ୍ୟତା ତ୍ୟାଗ କରିବା’ ବୋଲି ଧରାଯାଇପାରେ।