December 6, 2025 3:39 pm

ଓଡିଶାକୁ ଆସିବ ୬୦୦ ଇ-ବସ୍‌

ଭୁବନେଶ୍ୱର: ରାଜ୍ୟକୁ ୬୦୦ ଇ-ବସ୍‌ ଆସିବା ନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବେଶ ସୁରକ୍ଷା ପାଇଁ ଇ-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧ ହଜାର ଇ-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି ଇ-ବସ୍‌ ଆଣିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଆହୁରି ମଧ୍ୟ ଖବର ମିଳିଛି, ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି ଇ-ବସ୍‌ ପ୍ରଦାନ କରିବେ। ମୋଟ ୬୦୦ଟି ଇ-ବସ୍‌ ଜନସାଧାରଣଙ୍କ ସେବାରେ ଲାଗିବ। ଏବେ ୨୫ଟି ଇ-ବସ୍‌ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ-ବସ୍‌ ପ୍ରଦାନ କରାଯିବ ବୋଲି ଅଵଗତ କରାଇଛନ୍ତି ମନ୍ତ୍ରୀ।
ନଜର ଥାଉକି, ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି। କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ ପିଏମ-ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (କ୍ରୁଟ୍‍) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି, ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳକୁ “ଆମ ବସ” ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି ।