February 26, 2026 11:47 pm

ନିଶା ଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି–୨୦୧୧ ର ଧାରା ୨.୩.୪ ଅନୁଯାୟୀ ଜାରି କରାଯାଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।ତମ୍ବାକୁ ଓ ନିକୋଟିନ୍ ଯୁକ୍ତ ପଦାର୍ଥଗୁଡ଼ିକ ମୁଖ, ଗଳ, ଅନ୍ତର୍ନିହିତ ଅଙ୍ଗର କ୍ୟାନ୍ସର ସହିତ ଗୁରୁତର ରୋଗ ସୃଷ୍ଟି କରୁଥିବାରୁ ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ ଅଟେ । ତେଣୁ ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ ଏହି ନିଷେଧ ଲାଗୁ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନୋଟିଫିକେସନ ନମ୍ବର ୨୦୬୫, ତାରିଖ ୨୧/୦୧/୨୦୨୬ ଅନୁସାରେ ଏହି ନିଷେଧାଦେଶ ଲାଗୁ କରାଯାଇଛି ।