June 26, 2025 2:44 pm

ପଞ୍ଚଦଶ ଅର୍ଥକମିଶନ ଅନୁଦାନ ପାଇଁ ଦାବିକଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଓ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ ନେଇ କେନ୍ଦ୍ରଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ଥରାଶି ପ୍ରଦାନ ଦ୍ଵାରା ପୌରସଂସ୍ଥାର ମୌଳିକ ସମସ୍ୟାର ସୁଧାର ହେବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗର ନିଗମ ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଆଲୋଚନା କରିଛନ୍ତି । ଓଡ଼ିଶାର ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଅର୍ଥ ଦିଆଯାଇନାହିଁ ।

ପଞ୍ଚଦଶ ଅର୍ଥ କମିଶନ ଅଧୀନରେ ‘ମୌଳିକ ଏବଂ ସଂଯୁକ୍ତ ଅନୁଦାନ’ ଏବଂ ‘ସ୍ୱାସ୍ଥ୍ୟ ଅନୁଦାନ’ ଏପର୍ଯ୍ୟନ୍ତ ନମିଳିବା ଯୋଗୁଁ ଅନେକ ବିକାଶ କାର୍ଯ୍ୟରେ ବାଧା ଉପୁଜିଛି । ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ। ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ, ସ୍ୱାସ୍ଥ୍ୟସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ । ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ, ଇ- ବସ ଚଳାଚଳକୁ କିପରି ଅଧିକ ପ୍ରୋତ୍ସାହନ ମିଳିବ ଏବଂ ସହରରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ବ୍ୟବସ୍ଥିତ ହେବ, ସେନେଇ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଏବଂ ପରେ ନିଜ ନିର୍ବାଚନ ମଣ୍ତଳୀ ପାଇଁ ଏନେଇ ପ୍ରତିଶ୍ରୁତି ଦେଇଥିଲେ। ଏସଂକ୍ରାନ୍ତରେ ପ୍ରଥମ ପଦକ୍ଷେପ ନେଇଥିବାରୁ ଲୋକେ ଧନ୍ୟବାଦ ଜଣାଇଛନ୍ତି ।