ରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତ : ୭ ଲକ୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଓ ୭୯୧୪ କୋଟି ଦେୟ ପ୍ରଦାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରିତ ଭାବେ ଜାରି ରହିଛି । ଆଜି ସୁଦ୍ଧା, ରାଜ୍ୟର ୬ ଲକ୍ଷ ୯୩ ହଜାର ୯୭ ଜଣ ଚାଷୀଙ୍କଠାରୁ ୩୦ ଲକ୍ଷ ୪୯ ହଜାର ୫୬୦ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହି ପ୍ରକ୍ରିୟାରେ ଚଳିତ ବର୍ଷ ଚାଷୀ ମାନେ ସକ୍ରିୟ ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର ଏବଂ ଝାରସୁଗୁଡା ଭଳି ଜିଲ୍ଲାଗୁଡ଼ିକ ସେମାନଙ୍କର ଲକ୍ଷ୍ୟର ୬୦ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ କରିସାରିଛନ୍ତି । ସମ୍ବଲପୁର ଜିଲ୍ଲାରେ ୯୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟର ଧାନ ସଂଗ୍ରହ କରାଯାଇ ସାରିଲାଣି। ଏହି ଜିଲ୍ଲାରେ ଆଜି ସୁଦ୍ଧା ୬୧ ହଜାର ୬୫୦ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଶେଷ ହୋଇଛି ଯାହା ଗତବର୍ଷ ଆଜିସୁଦ୍ଧା ୫୬ ହଜାର ୮୩୧ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିଥିଲେ ।
ସେହିପରି, ସୁବର୍ଣ୍ଣପୁର ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୭୭ ପ୍ରତିଶତ ଧାନ ସଂଗ୍ରହ ହୋଇଛି ଏବଂ ଗତବର୍ଷ ଆଜିସୁଦ୍ଧା ୫୧ ହଜାର ୫ ଶହ ଚାଷୀ ଧାନ ବିକ୍ରୟ କରିଥିବା ବେଳେ ଚଳିତ ବର୍ଷ ୫୭ ହଜାର ୨୧୭ ଜଣ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ ଗଞ୍ଜାମରେ ମୋଟ ୪୭୬ଟି ମଣ୍ଡି କାର୍ଯ୍ୟକ୍ଷମ ଅଛି ଯେଉଁଥିରେ ୪୫,୨୫୫ ଜଣ ଚାଷୀ ଧାନ ବିକ୍ରୟ କରିପାରିଛନ୍ତି, ଗତ ବର୍ଷ ସମାନ ସମୟରେ ୧୮,୧୨୧ ଜଣ ଚାଷୀ ଧାନ ବିକ୍ରୟ କରିଥିଲେ । ରାୟଗଡ଼ାରେ ମଧ୍ୟ ୧୦,୪୯୦ ଜଣ ଚାଷୀ ଚଳିତ ଖରିଫରେ ଅଂଶଗ୍ରହଣ କରିଥିବା ଗତବର୍ଷ ୯୬୫୫ ଜଣ ଚାଷୀଙ୍କ ଠାରୁ ସେମାନଙ୍କର ଧାନ ସଂଗ୍ରହ କରାଯାଇଥିଲା ।

ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍ ସହାୟତା ପାଇଁ ୭,୯୧୪.୧୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଆଧାର ସଂଯୁକ୍ତ ଇ-କେୱାଇସି ଦେୟ ବ୍ୟବସ୍ଥା ଭଳି ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଚାଷୀ ମାନଙ୍କୁ ଦେୟ ପ୍ରଦାନ କରାଯାଉଛି । ଏହାଦ୍ୱାରା ପୋର୍ଟାଲରେ ପଞ୍ଜିକୃତ ପ୍ରକୃତ ଚାଷୀମାନଙ୍କୁ ସିଧାସଳଖ ସ୍ୱଚ୍ଛତାର ସହ ପେମେଣ୍ଟ କରାଯାଉଛି। ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ପୁରୀ, ଯାଜପୁର ଏବଂ କେନ୍ଦ୍ରପଡ଼ାରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି । ଧାନ ସଂଗ୍ରହ ଉପରେ କଡ଼ା ନଜର ରଖିବା, ଧାନ ଉଠାଣ ସମୟସୂଚୀର ଯୋଜନାକୁ ସହଜ କରିବା ଏବଂ ମଣ୍ଡିରୁ ମିଲକୁ ଧାନ ନେବାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଯୋଗାଣ ନିଗମରେ ଏକ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଧାନ ଵିକ୍ରୟ ସମ୍ପର୍କିତ ଯେକୌଣସି ସମସ୍ୟା ଥିଲେ ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିବାର ବ୍ୟବସ୍ଥା କରାଯାଇଛି ।

Leave a Comment