December 6, 2025 3:32 pm

ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ୧୦ ମୃତ,୧୫ ରୁ ଅଧିକ ଆହତ

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟରେ ଏକ i20 କାର୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୦ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଲାଲ କିଲ୍ଲା ଭଳି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଏହିଭଳି ଘଟଣା ଘଟିବା ପରେ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଛି। ସନ୍ଧ୍ୟା ପ୍ରାୟ ୬:୫୫ରେ ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଏବଂ ୧୫ଟି CAT ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିସ୍ଫୋରଣ ଯୋଗୁଁ ନିକଟସ୍ଥ ୩ ରୁ ୪ ଟି ଗାଡ଼ିରେ ନିଆଁ ଲାଗିଯାଇଥିଲା, ଯାହାକୁ ପରେ ଲିଭାଇ ଦିଆଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗିଯାଇଥିଲା ଏବଂ ପାର୍କିଂରେ ଥିବା ଅନ୍ୟ ଗାଡ଼ିଗୁଡ଼ିକର କାଚ ମଧ୍ୟ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ବ୍ୟାପକ ଭଙ୍ଗା କାଚ ପଡ଼ିଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣାସ୍ଥଳରେ NIA, NSG ଟିମ୍ ର ତନାଘନା ଜାରି ରହିଛି। ଏହି ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ ସମେତ ସମଗ୍ର NCR ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶ୍ବ ପ୍ରସିଦ୍ଧ ତୀର୍ଥସ୍ଥଳ ତଥା ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି।