ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା ।ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମୃଦ୍ଧ ଓଡ଼ିଶା ନେଇ ବିଜୁ ବାବୁ ଦେଖିଥିବା ଅଧୁରା ସ୍ବପ୍ନକୁ ଆମ ସରକାର ସାକାର କରିବାକୁ ଯାଉଛି । ସାରା ରାଜ୍ୟରେ ବିଜୁ ବାବୁଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି । ବିଜୁ ବାବୁ ଜଣେ ସଂଗ୍ରାମୀ ଓ ସାହସୀ ପାଇଲଟ୍ ଥିଲେ । ଓଡ଼ିଶା ଓ ଓଡ଼ିଆ ଜାତିଙ୍କୁ ଭଲ ପାଉଥିବା ଶ୍ରେଷ୍ଠ ରାଜନେତା ହେଉଛନ୍ତି ବିଜୁ ବାବୁ । ନିଜର ସ୍ୱାଭିମାନ ଓ ଓଡ଼ିଶା ମାଟି ପାଇଁ ବିଜୁ ବାବୁ କାମ କରୁଥିଲେ । କୌଣସି ପରିସ୍ଥିତିରେ ବିଜୁ ବାବୁ ଓଡ଼ିଆଙ୍କ ସମ୍ମାନ, ସ୍ୱାଭିମାନକୁ ନେଇ ସାଲିସ କରିବାକୁ ଦେଉ ନଥିଲେ । ବିଜୁ ସମୃଦ୍ଧ ଓଡ଼ିଶା ସ୍ବପ୍ନ ଦେଖିଥିଲେ । ସଂକଳ୍ପ ନେଇ କାମ କରୁଥିଲେ । ଆମ ସରକାରରେ ସମୃଦ୍ଧ ଓଡ଼ିଶା ଗଠନ ନେଇ କାମ ଆରମ୍ଭ ହୋଇଛି । ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ଆମ ସରକାର ପୂର୍ଣ୍ଣ କରିବା ସଂକଳ୍ପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।









