February 26, 2026 10:43 pm

ଭଙ୍ଗାଯିବ କଟକର ବିପଦସଙ୍କୁଳ କୋଠା; ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଘୋଷଣା

କଟକ: କଟକର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବାପାଇଁ ଆଜି ଗୃହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବଡ଼ ସୂଚନା ଦେଇଛନ୍ତି। ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ଏକ ବିଶେଷ କମିଟି ଗଠନ କରାଯାଇଛି। ଏପରିକି କମିଟି ସଦସ୍ୟ କଟକ ମହାନଗର ନିଗମର ସବୁ ୱାର୍ଡରେ ସର୍ଭେ କରୁଛନ୍ତି। ସର୍ଭେ ପରେ ଚିହ୍ନଟ ବିପଦସଙ୍କୁଳ କୋଠା ମାଲିକଙ୍କୁ ନୋଟିସ କରାଯିବ। ପରବର୍ତ୍ତୀ ସମୟରେ ଆଇନ ଅନୁଯୟୀ କୋଠା ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।
କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ନଭେମ୍ବର ୮ ତାରିଖରେ ଏକ ପୁରୁଣା କୋଠା ଭାଙ୍ଗିଯିବାରୁ କଟକ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ହୋଇଥିଲେ। ତେବେ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍‌ଡିଂ ଆପ୍ରୁଭାଲ୍ ନଥିଲା। ବେଆଇନ ଭାବେ କରାଯାଇଥିଲା ୬ ମହଲା କୋଠା। ତା ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି। କଟକରେ ଏମିତି ମାଳମାଳ ଅସୁରକ୍ଷିତ ବିଲ୍‌ଡିଂ ରହିଛି। ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ। ଏବେ ଗୃହରେ ସେସବୁ ବିପଦସଙ୍କୁଳ କୋଠା ଭଙ୍ଗାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।