କଟକ: ପଲିଥିନ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ପରିବେଶ ସୁରକ୍ଷା ସହ ଏହି ମହୋତ୍ସବକୁ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ କରିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ସପ୍ତାହବ୍ୟାପୀ ଏହି ମହାମେଳା। ବାଲିଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରହିଛି। ମଙ୍ଗଳବାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ଏଥର ବାଲିଯାତ୍ରାରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ORMAS) ପକ୍ଷରୁ ୫୦୦ଟି ଷ୍ଟଲ୍ ଖୋଲାଯିବ। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି। ବାଲିରୁ ଏକ ପ୍ରତିନିଧି ଦଳ ଏହି ମହୋତ୍ସବକୁ ଆସିବାର ସମ୍ଭାବନା ରହିଛି। ‘କଟକ ଇନ୍ କଟକ’ ପ୍ୟାଭିଲିୟନରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହାସହ ଏକ ଡିଜିଟାଲ୍ ଇନଫର୍ମେସନ୍ ୱାଲ୍ ମାଧ୍ୟମରେ ବାଲି ଓ କଳିଙ୍ଗର ପ୍ରାଚୀନ ସମ୍ପର୍କ, ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଦର୍ଶକମାନେ ଜାଣିପାରିବେ। ପ୍ରାଚୀନ କଳିଙ୍ଗ ଓ ବାଲି ଦ୍ୱୀପ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଏହା ଆହୁରି ମଜଭୁତ କରିବ। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ପରିବେଶ ଅନୁକୂଳ ଓ ଐତିହ୍ୟ ସମୃଦ୍ଧ କରିବାକୁ ଆୟୋଜକମାନେ ଯୋଜନା କରିଛନ୍ତି। ମେଳାର ସୁପରିଚାଳନା, ଦର୍ଶକଙ୍କ ସୁବିଧା ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି।