February 26, 2026 2:30 am

କଟକ ନୂଆପଡା ପ୍ରେସ କଲୋନୀରେ ଗୁଳି ମାଡ଼ରେ ଯୁବକ ମୄତ

କଟକ : ମଧୁପାଟଣା ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି। ଏହି ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ସୌମ୍ୟରଂଜନ ଜେନା (୩୪) । ସୂଚନା ଅନୁସାରେ ମଧୁପାଟଣା ଥାନା ଅଧୀନ ନୂଆପଡ଼ା ସାହିର ସୌମ୍ୟରଂଜନ ଜେନା ଆଜି ଅପରାହ୍‌ଣ ସମୟରେ ପ୍ରେସ୍‌କ୍ଲବ ନିକଟ ପଡ଼ିଆରେ କ୍ରିକେଟ୍‌ ଖେଳିବାକୁ ଯାଇଥିଲେ। ସେ ପଡ଼ିଆ ନିକଟରେ ଛିଡ଼ା ହୋଇଥିବା ବେଳେ ଜଣେ ଦୁର୍ବୃତ୍ତ ସେଠାକୁ ପହଞ୍ଚି ଥିଲା। ସୌମ୍ୟରଂଜନ କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତଜଣକ ହଠାତ୍‌ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା lଗୁଳିମାଡ଼ର ଶିକାର ହେଲା ପରେ ସୌମ୍ୟରଂଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ନିକଟରେ ଥିବା ଦୁଇ ଜଣ ଯୁବକ ସୌମ୍ୟରଂଜନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସୌମ୍ୟରଂଜନ ଗୁରୁତର ଥିବାରୁ ସେ କଟକ ବଡ଼ଡାକ୍ତରଖାନାକୁ ନେବା ପାଇଁ କହିଥିଲେ। ଶେଷରେ ସୌମ୍ୟରଂଜନଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।କିଏ ଓ କାହିଁକି ଗୁଳିମାଡ଼ କରିଛି ସେନେଇ ଏବେ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି l