April 12, 2026 12:28 pm

ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌ ଚାମ୍ପିୟନ ହେଲା ଭାରତ

ନୂଆଦିଲ୍ଲୀ: ରେକର୍ଡ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌ରେ ଚାମ୍ପିୟନ ହେଲା ଭାରତ। ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଭାରତ ପୁଣି ହାତେଇଛି ଏହି ଟାଇଟଲ। ହରାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ଚିତ୍ତାକର୍ଷକ ବ୍ୟାଟିଂ ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪୧୧ ରନ୍ ସଂଗ୍ରହ କରିଥିଲା। ଦଳ ୯ଟି ୱିକେଟ୍ ହରାଇଥିଲା। ୪୧୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ୩୧୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। କ୍ୟାଲେବ ଫାଲକୋନର ୬୭ ବଲ୍‌ରୁ ୧୧୫ ରନ୍ କରିଥିଲେ ହେଁ ଦଳକୁ ବିଜୟୀ କରାଇବାରେ ବିଫଳ ହୋଇଥିଲେ। କାରଣ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। ଓପନର ବେନ୍ ଡାୱକିନ୍‌ସ ୫୬ ବଲ୍‌ରୁ ୬୬ ରନ୍ କରିଥିବା ବେଳେ ଜୋ ମୋରିସ୍ ୧୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ମେୟସ ୪୫ ରନ୍ କରିଥିବା ବେଳେ ଅଧିନାୟକ ଥୋମାସ ୩୧ ରନ୍ କରିଥିଲେ। ସେହିପରି ଜେମ୍‌ସ ମିଣ୍ଟୋ ୨୮ ରନ୍ କରିଥିଲେ। ୨ ଜଣ ବ୍ୟାଟର ଖାତା ଖୋଲି ପାରି ନଥିବା ବେଳେ ଆଉ ୨ ଜଣ ଯଥାକ୍ରମେ ୧ ଓ ୩ ରନ୍ କରିଥିଲେ। ଦଳ ୪୦.୨ ଓଭରରେ ୩୧୧ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା।