February 26, 2026 3:23 am

୫ ଜାନୁୟାରୀରୁ କଂଗ୍ରେସ କରିବ “ମନରେଗା ବଞ୍ଚାଅ ଅଭିଯାନ”

ନୂଆଦିଲ୍ଲୀ: ମନରେଗା ଯୋଜନା ବଦଳରେ କେନ୍ଦ୍ର ସରକାର ଆଣିଥିବା ଭିବି ଜି-ରାମ-ଜି ଯୋଜନାକୁ ନେଇ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା । ବୈଠକ ପରେ ମଲ୍ଲିକାର୍ଜୁନ କହିଛନ୍ତି ଯେ ମନରେଗାକୁ ହଟାଇ ଭିବି ଜି-ରାମ-ଜି ଯୋଜନା ଆଣିବା ନିଷ୍ପତ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ । ଏହି ବୈଠକରେ ଶପଥ ନିଆଯାଇଛି ଯେ ଦଳ ଦେଶବ୍ୟାପୀ ଆନ୍ଦୋଳନ କରିବ । ମନରେଗା ଯୋଜନାକୁ ପ୍ରମୁଖ ମୁଦ୍ଦା କରି ସାରା ଦେଶରେ ବଡ଼ ଆନ୍ଦୋଳନ କରାଯିବ । ମନରେଗାକୁ ବଞ୍ଚାଇବାକୁ କଂଗ୍ରେସ ଦଳ ଅଗ୍ରଣୀ ଭୂମିକା ଗ୍ରହଣ କରି ସାରା ଦେଶରେ ୫ ଜାନୁୟାରୀରୁ “ମନରେଗା ବଞ୍ଚାଅ ଅଭିଯାନ” କରିବ । ଯେକୌଣସି ମୂଲ୍ୟରେ ଦଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତିକୁ ରକ୍ଷା କରାଯିବ । କଂଗ୍ରେସ କହିଛି, ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ଭାରତୀୟ ସମ୍ବିଧାନ ଦ୍ୱାରା ଦିଆଯାଇଥିବା କାମର ଅଧିକାର । ଗାନ୍ଧୀଙ୍କ ନାମକୁ ହଟାଇବା ଏବଂ ଶ୍ରମିକ ଅଧିକାରୀ ଛିନ୍ନ କରିବାକୁ ହୋଇଥିବା ସମସ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ । ସେଥିପାଇଁ ଗାଁ ଗାଁରେ ଦଳ ଅଭିଯାନ କରିବ । ପୂର୍ବରୁ ଲୋକସଭାରେ ମଧ୍ୟ ରାହୁଲ ଗାନ୍ଧୀ ସ୍ୱର ଉତ୍ତୋଳନ କରିଥିଲେ । ବାହାରେ ମଧ୍ୟ ସ୍ୱର ଉତ୍ତୋଳନ ହୋଇଛି । ଏହି ନୂତନ ଆଇନକୁ ଫେରସ୍ତ ନେବାକୁ ଆନ୍ଦୋଳନ କରାଯିବ ।