କଲମ୍ବିଆ:- ଆସନ୍ତା ବର୍ଷ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏହି କ୍ୟାମ୍ପେନିଂ ବେଳେ ଘଟିଛି ବଡ ଅଘଟଣ । କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ ଗୁଳିମାଡର ଶିକାର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିଗୁଏଲ୍। ଗୋଗୋଟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଉପରକୁ ଫାୟାରିଂ ହୋଇଥିଲା। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଗିରଫ କରି ତଦନ୍ତ କରୁଛି ପୋଲିସ।
ମିଳିଥିବା ସୂଚନା ମୁତାବକ, ୩୯ ବର୍ଷୀୟ ମିଗୁଏଲଙ୍କ ଦେହରେ ୩ ଥର ଗୁଳି ବାଜିଛି । ତାଙ୍କ ମୁଣ୍ଡରେ ଦୁଇ ଥର ଓ ଆଣ୍ଠୁରେ ଥରେ ଗୁଳି ବାଜିଛି । ମିଗୁଏଲ ଏକ ପବ୍ଲିକ ରାଲିରେ ଅଭିଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ ହୋଇଥିବା ଏକ୍ସରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଦେଇଛି । ମିଗୁଏଲଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଘଟଣାକୁ ନେଇ ସମଗ୍ର ଲାଟିନ ଆମେରିକାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମିଗୁଏଲଙ୍କ ଉପରେ ଆକ୍ରମଣକୁ ନେଇ ତାଙ୍କ ଦଳ କନଜରଭେଟିବ ଡେମୋକ୍ରାଟିକ ସେଣ୍ଟର ପାର୍ଟି ତୀବ୍ର ନିନ୍ଦା କରିବା ସହ ହିଂସା ଗ୍ରହଣୀୟ ନୁହେଁ ବୋଲି କହିଛି । ଏହି ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ସେ ନାବାଳକ ହୋଇଥିବା ସୂଚନା ମିଳିଛି ।
0