April 12, 2026 4:53 am

ଆଜି ସଂଧ୍ୟାରେ ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶକୁ ଚିନ୍ତାରେ ପକାଇଛି । ଯାହାକୁ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସତର୍କ କରିଆସୁଛି କେନ୍ଦ୍ର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେଥିରେ ମଧ୍ୟ ଭାଗ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତାସହ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମଧ୍ୟ ରାଜ୍ୟକୁ ନେଇଥିବା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଓଡ଼ିଶା ଫେରିଛନ୍ତି । ତେବେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ଆଜି ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ଏକ ବଡ ବୈଠକ ହେବାକୁ ଯାଉଛି । ଯେଉଁଥିରେ କି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ । ଜିଲ୍ଲା ଗୁଡ଼ିକର କଣ ସବୁ ସ୍ଥିତି ରହିଛି ସେ ବାବଦରେ ଅବଗତ କରିବେ । ଏହାସହ ରାଜ୍ୟରେ ମହଜୁଦ୍ ଥିବା ବିଭିନ୍ନ ସାମଗ୍ରୀ କେଉଁ ଭଳି ଭାବେ ଲୋକଙ୍କ ନିକଟକୁ ସୁରୁଖୁରୁରେ ପହଞ୍ଚି ପାରିବ। କଳାବଜାରୀ ସମସ୍ୟା ଉପୁଜିବ ନାହିଁ, ସେଦିଗରେ ବିସ୍ତୃତ ଭାବରେ ଆଲୋଚନା ହେବ । ବିଶେଷ କରି ତୈଳ ସାମଗ୍ରୀକୁ ନେଇ ଉପୁଜିଥିବା ସମସ୍ୟାକୁ କେମିତି ମୁକାବିଲା କରି ହେବ ସେଥିପାଇଁ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ କରାଯିବ ।