February 26, 2026 11:32 am

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଓ ଆଦିବାସୀ ମହାସଂଘ ଭେଟାଭେଟି

ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଅଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆମ ସରକାର ମଧ୍ୟ ଆଦିବାସୀ ମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି। ଜୀବନ ଜୀବିକା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ଆଦିବାସୀ ଅଞ୍ଚଳ ଗୁଡିକର ସାମଗ୍ରିକ ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରାଯାଉଛି। ଆଦିବାସୀ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ମହାସଂଘକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଲୋଚନା ମାଧ୍ୟମରେ ସବୁ ସମସ୍ୟା ସମାଧାନ ହେବ ବୋଲି କହିଥିଲେ। ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ମହାସଂଘର ସଭାପତି ଶ୍ରୀ କର୍ମା ଲାକ୍ରା, ସାଧାରଣ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକ ଏବଂ ପ୍ରାୟ ୧୧ଟି ଜିଲ୍ଲାରୁ ସଦସ୍ୟମାନେ ଯୋଗଦେଇଥିଲେ।