December 6, 2025 10:01 pm

ପୂର୍ବ ସରକାର କୃଷିକୁ ଗୁରୁତ୍ଵ ଦେଇନାହାନ୍ତି;ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ଯୋଜନାର୨ ହଜାର ଟଙ୍କା । ବାରଣାସୀରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ । ଏଣେ ପିଏମ୍ କିଷାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ିଲେଣି ନୂଆ ସରକାର। ସିଏମ କିଷାନରେ ୫୦ ଲକ୍ଷରୁ ଅଧିକ ଚାଷୀ ଥିବା ବେଳେ ପିଏମ କିଷାନରେ ସଂଖ୍ୟା କମ ଥିଲା। ନୂଆ ସରକାର ଆସିବା ପରେ ବାଦ ପଡ଼ିଥିବା ଚାଷୀଙ୍କୁ ଯୋଡିବାକୁ ଗୁରୁତ୍ୱ ଦେଇଥିଲେ। ଯେଉଁଥିରେ ୬ ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଛି। ଆଗକୁ ମଧ୍ୟ ବାଦ ପଡ଼ିଥିବା ସହରୀ ଚାଷୀ ଏବଂ ଗ୍ରାମାଞ୍ଚଳ ଚାଷୀଙ୍କୁ ଯୋଡ଼ିବାକୁ ସରକାର କାମ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି ଆଜି ୨୦ ତମ କିସ୍ତିରେ ରାଜ୍ୟର ୩୪ ଲକ୍ଷ ୮୫ ହଜାର ଚାଷୀ ପିଏମ କିଷାନ ଟଙ୍କା ପାଇଛନ୍ତି। ପୂର୍ଵ ସରକାର ଚାଷୀଙ୍କୁ ୧୦୦ ଟଙ୍କା ବୋନସ ମଧ୍ୟ ଦେଇପାରିଲେନି। ୯ ବର୍ଷ ପରେ ସରକାର ବଦଳିବା ପରେ ୮୦୦ ଟଙ୍କାର ଇନପୁଟ ସହାୟତା ଦିଆଯାଇଛି। ଖରିଫରେ ୧୭ ଲକ୍ଷ ଚାଷୀଙ୍କୁ ୬ ହଜାର କୋଟି ଟଙ୍କର ଇନପୁଟ ସହାୟତା ଦେଇଛନ୍ତି ରାଜ୍ୟ ସରକାର। ରବିରେ ମଧ୍ୟ କୌଣସି ରାଜ୍ୟ ଇନପୁଟ ସହାୟତା ଦେଇନଥିବା ବେଳେ ଓଡ଼ିଶା ସରକାର ଦେଇଛନ୍ତି। ଗତ ସରକାର ୨୪ ବର୍ଷ ଧରି କୃଷିକୁ ଗୁରୁତ୍ଵ ଦେଲେ ନାହିଁ। ସିଏମ କିଷାନ, ପିଏମ କିଷାନ, ସୁଭଦ୍ରା ଭଳି ଯୋଜନାରୁ ପ୍ରତି ବର୍ଷ ଜଣେ ଚାଷୀ ୩୦ ହଜାର ଟଙ୍କାର ସରକାରୀ ସହାୟତା ପାଉଛନ୍ତି। କେବଳ ଧାନ ଚାଷରେ ସୀମିତ ନରହି ପନିପରିବା, ଅର୍ଥକାରୀ ଫସଲ, ତୈଳବୀଜ, ଫଳ ଆଦି ଚାଷ କଲେ ଚାଷୀଙ୍କ ଆୟ ବଢ଼ିପାରିବ।